1 min read

ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା, ସିସିଟିଭି ନିରୀକ୍ଷଣ, ବିଦ୍ୟୁତ୍ ଯୋଗାଣ, ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍ ପ୍ରସ୍ତୁତି, ଅବକାରୀ ବିଭାଗ ଦ୍ୱାରା ଅବୈଧ ମଦ କାରବାର ଉପରେ ସ୍ୱତନ୍ତ୍ର ଚଢ଼ାଉ, ଶବ୍ଦ ପ୍ରଦୂଷଣ ନିୟମ ପାଳନ, ପୂଜା ସାମଗ୍ରୀକୁ ନିର୍ଦ୍ଧାରିତ ସ୍ଥାନରେ ବିସର୍ଜନ ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରଶାସନ, ପୋଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକର ମିଳିତ ସହଯୋଗରେ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା। ଉକ୍ତ ବୈଠକରେ ସମସ୍ତ ପୂଜା କମିଟିର ସଭାପତି ତଥା ସମ୍ପାଦକ, ସମସ୍ତ ବିଭାଗୀୟ ଅଧିକାରୀ, ବିଶ୍ୱ ହିନ୍ଦୁ ପରିଷଦର ଶ୍ରୀ ବିଦ୍ୟାଧର ସାହୁ ଓ ମୁସଲିମ ଜମାତରୁ ଜନାବ ଅବଦୁଲ ମୋକିମ୍ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *