ରେକର୍ଡ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୭୨୯ ବିଲିଅନ ଡଲାର
1 min read

ରେକର୍ଡ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୭୨୯ ବିଲିଅନ ଡଲାର

ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପୁଣିଥରେ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୪୨୨ ବିଲିଅନ ଡଲାର ବୃଦ୍ଧି ପାଇ ୭୨୯.୩୨୮ ବିଲିଅନ ଡଲାରରେ ପହଞ୍ଚିଛି।

ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୨୮.୪୯୪ ବିଲିଅନ ଡଲାରର ରେକର୍ଡ ସ୍ତରରେ ଥିଲା। ଏବେ ସେହି ରେକର୍ଡକୁ ଟପି ନୂଆ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଛି।

ବିଶେଷ ଉଲ୍ଲେଖନୀୟ ଯେ, ଗତ ୮ ସପ୍ତାହ ଧରି ଲଗାତାର ଭାବେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ମୋଟ ପ୍ରାୟ ୬୩ ବିଲିଅନ ଡଲାର ବୃଦ୍ଧି ହୋଇଛି।

ଅଗଷ୍ଟ ୨୧ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି ୯.୪୮୨ ବିଲିଅନ ଡଲାର ବଢ଼ି ୫୯୧.୩୩୩ ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ଭାରତର ଗଚ୍ଛିତ ସୁନାର ମୂଲ୍ୟ ମଧ୍ୟ ୨.୮୦୧ ବିଲିଅନ ଡଲାର ବୃଦ୍ଧି ପାଇ ୧୧୪.୨୧୮ ବିଲିଅନ ଡଲାର ହୋଇଛି।

ଏହା ବ୍ୟତୀତ ସ୍ପେସାଲ ଡ୍ରଇଂ ରାଇଟ୍ସ (ଏସ୍‌ଡିଆର୍‌)ରେ ୧୧୨ ନିୟୁତ ଡଲାର ବୃଦ୍ଧି ଘଟି ଏହା ୧୮.୮୫୨ ବିଲିଅନ ଡଲାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ରିଜର୍ଭ ମଧ୍ୟ ୨୬ ନିୟୁତ ଡଲାର ବଢ଼ି ୪.୯୨୫ ବିଲିଅନ ଡଲାର ହୋଇଛି।

ବିଦେଶୀ ମୁଦ୍ରା ଭଣ୍ଡାରରେ ଏଭଳି ନିରନ୍ତର ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି। ରେକର୍ଡ ସ୍ତରର ଏହି ଭଣ୍ଡାର ଦେଶର ବାହ୍ୟ ଆର୍ଥିକ ସ୍ଥିରତାକୁ ଆହୁରି ମଜବୁତ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *