୨୦୩୦ କମନୱେଲ୍ଥ ଗେମ୍ସ ଓ ୨୦୩୬ ଅଲିମ୍ପିକ୍ସ ବିଡ୍: ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଅହମଦାବାଦ, ୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତି ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଭାରତର ବିଡ୍ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅହମଦାବାଦରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗ୍ଭୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୃହତ୍ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସମୟରେ ସୁରକ୍ଷା ବ୍ୟବସ୍ଥା, ଯାତାୟାତ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥା ତଦାରଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।
ପ୍ରାୟ ଦୁଇ ଦଶନ୍ଧି ପରେ ଭାରତରେ ପୁଣିଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହେବାର ସମ୍ଭାବନା ରହିଛି। ଭାରତ ପ୍ରଥମଥର ପାଇଁ ୨୦୧୦ରେ ନୂଆଦିଲ୍ଲୀରେ କମନୱେଲ୍ଥ ଗେମ୍ସ ଆୟୋଜନ କରିଥିଲା। ଏବେ ୨୦୩୦ ସଂସ୍କରଣ ଆୟୋଜନ ପାଇଁ ଭାରତ ପ୍ରସ୍ତୁତି ଚଳାଇଥିବା ବେଳେ ଅହମଦାବାଦ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ମଧ୍ୟ ରହିଛି।
ଭାରତ ବର୍ତ୍ତମାନ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଲୋଚନା ଓ ପ୍ରସ୍ତୁତି ପ୍ରକ୍ରିୟାରେ ରହିଛି। ଏହି ବୃହତ୍ କ୍ରୀଡ଼ା ଆୟୋଜନ ପୂର୍ବରୁ ଅହମଦାବାଦରେ ଏକ ବଡ଼ ଅନ୍ତର୍ଜାତୀୟ ମଲ୍ଟି-ସ୍ପୋର୍ଟ୍ସ ପ୍ରତିଯୋଗିତା ‘ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ’ ଆୟୋଜିତ ହେବ। ଏହି ମେଗା ଇଭେଣ୍ଟରେ ପ୍ରାୟ ୭୦ଟି ଦେଶରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ।
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ମୋଦୀ ସରକାର ଭାରତକୁ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ବିଶ୍ବସ୍ତରୀୟ ଗନ୍ତବ୍ୟସ୍ଥଳୀ ଭାବେ ପରିଣତ କରିବାକୁ ଦୃଢ଼ ପ୍ରତିବଦ୍ଧ।
ବଡ଼ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ମାଧ୍ୟମରେ ଭାରତର କ୍ରୀଡ଼ା ଭିତ୍ତିଭୂମି, ପର୍ଯ୍ୟଟନ, ରୋଜଗାର ଏବଂ ଅର୍ଥନୀତିକୁ ନୂଆ ଗତି ମିଳିବା ସହ ଦେଶର ବିଶ୍ବସ୍ତରୀୟ ପରିଚୟ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।
