ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଅଗଷ୍ଟ ୨୯ରୁ ବଢ଼ିବ ବର୍ଷା, ଉତ୍ତର ଓଡ଼ିଶାକୁ ଅଧିକ ପ୍ରଭାବ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩.୧ରୁ ୫.୮ କିଲୋମିଟର ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୯ ତାରିଖରୁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ଅନୁସାରେ, ଆସନ୍ତା କିଛି ଦିନ ରାଜ୍ୟର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଅଗଷ୍ଟ ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ।
ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, କଟକ, ଅନୁଗୋଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଅଗଷ୍ଟ ୩୧ ତାରିଖରେ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବ। ସେହିପରି ସେପ୍ଟେମ୍ବର ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ ରହିଛି।
ଏପଟେ ବଙ୍ଗୋପସାଗର ମଧ୍ୟ ଅଗଷ୍ଟ ୩୦ ଓ ୩୧ ତାରିଖରେ ଅଶାନ୍ତ ରହିପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଝଟକା ଦେଇପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପ୍ରାୟ ୮୭୪ ମିଲିମିଟର। ଅର୍ଥାତ୍ ଚଳିତବର୍ଷ ବର୍ଷା ପରିମାଣ ସ୍ୱାଭାବିକଠାରୁ ପ୍ରାୟ ୨୭ ପ୍ରତିଶତ ଅଧିକ ରହିଛି।
ସେହିପରି ଆଜି ରାଜ୍ୟର କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ କଳାହାଣ୍ଡିରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା କିଛି ଦିନ ଧରି ବର୍ଷା ଜାରି ରହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
