କୋଇଲା ଚୋରିର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ, ଟିମ୍ ଜବତ କଲା ୩୦ ହଜାର କିଲୋ କୋଇଲା
ଭୁବନେଶ୍ୱର: ପକ୍କା ଟ୍ରେନ୍ରୁ କୋଇଲା ଚୋରି ମାମଲାର ତଦନ୍ତଭାର ଏବେ ଆରପିଏଫ୍ (ରେଲ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ଯାଇଛି। ଘଟଣାର ତଦନ୍ତ କରି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍ ଓ ୨୦୦ ଲିଟର ତେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ସନ୍ଧାନ ଜାରି ରହିଛି।
ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ’ ୧ ତାରିଖରେ ପାରାଦୀପ ଆଦର୍ଶ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଦୁଇଟି କାର୍, ୧ ଲକ୍ଷ ୯୮ ହଜାର ୫ ଶହ ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ଏହି ଘଟଣାରେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ CISF ଯବାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଥିଲା। ଘଟଣାରେ ଆହୁରି ଦୁଇଟି ଟ୍ରକ୍ ଓ ଅନ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ସୂଚନା ରହିଛି।
ସେହିପରି ୨୦୨୪ ମେ’ ମାସରେ ମେରାଇନ୍ ଥାନା ପୁଲିସ ପ୍ରଥମେ ୧୮୦୦ ଲିଟର ଚୋରା ଡିଜେଲ୍ ଜବତ କରି ଦୁଇଜଣଙ୍କୁ ଗିରଫ କରିଥିଲା। ମାଛଧରା ବୋଟ୍କୁ ଚୋରା ଡିଜେଲ୍ ବିକ୍ରି କରୁଥିବା ସମୟରେ ଅଭିଯୁକ୍ତମାନେ ଧରାପଡ଼ିଥିଲେ। ସେମାନଙ୍କ ସୂଚନା ଆଧାରରେ ଲକ୍ ଥାନା ଅଧୀନ ଦୋଛକି ନିକଟରେ ଥିବା ଏକ ଗୋଦାମରେ ଚଢ଼ାଉ କରି ୫ ହଜାର ଲିଟର ଡିଜେଲ୍ ଜବତ କରାଯାଇଥିଲା।
କୋଇଲା ଓ ଚୋରା ଡିଜେଲ୍ କାରବାର ପଛରେ ଥିବା ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି। କୋଟି କୋଟି ଟଙ୍କାର ଏହି ଚୋରା କାରବାରର ପର୍ଦ୍ଦାଫାସ ପାଇଁ କ୍ରାଇମବ୍ରାଞ୍ଚ, ଏସ୍ଟିଏଫ୍ କିମ୍ବା ସିବିଆଇ ଭଳି ଏଜେନ୍ସି ତଦନ୍ତ ହାତକୁ ନେଲେ ରାକେଟ୍ର ଗଭୀରତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
