ମସ୍କ ହରାଇଲେ ୧୧ ଲକ୍ଷ କୋଟି

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ ବିଶ୍ୱର ଧନୀ ବ୍ୟବସାୟୀଏଲନ୍ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ତାଙ୍କ ମାଲିକାନା ସହ ଜଡ଼ିତ ଟେସ୍ଲା ଓ ସ୍ପେସ୍ଏକ୍ସର ମୋଟ ବଜାର ପୁଞ୍ଜିରୁ ୧୨୦ ବିଲିୟନ୍ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୧୦.୮୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ଡେମୋକ୍ରାଟ୍ମାନେ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ନିବେଶକମାନେ ମସ୍କଙ୍କ କମ୍ପାନିଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବୁଧବାର ଆମେରିକାର ଷ୍ଟକ୍ ବଜାରରେ ଟେସ୍ଲାର ସେୟାର ମୂଲ୍ୟ ୨.୪ ପ୍ରତିଶତ ଓ ସ୍ପେସ୍ଏକ୍ସର ସେୟାର ମୂଲ୍ୟ ୪.୯ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ଉଭୟ କମ୍ପାନିର ମିଳିତ ବଜାର ମୂଲ୍ୟରେ ୧୦.୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଟେକ୍ସାସ୍ର ଗଭର୍ଣ୍ଣର ଓ ସିନେଟ୍ ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ବିଜୟ ଏହି ପରିସ୍ଥିତି ସୃଷ୍ଟି କରିଛି। ଆମେରିକାର ରାଜନୀତିରେ ମସ୍କ ରିପବ୍ଲିକାନ୍ ପାର୍ଟିର ଜଣେ ପ୍ରମୁଖ ସମର୍ଥକ। ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ସମର୍ଥନରେ ସେ ପ୍ରାୟ ୪୫୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୪୦,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଟେକ୍ସାସ୍ରେ ରିପବ୍ଲିକାନ୍ଙ୍କୁ ଜିତାଇବା ପାଇଁ ମଧ୍ୟ ସେ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ। କିନ୍ତୁ ଡେମୋକ୍ରାଟ୍ମାନେ ଟେକ୍ସାସ୍ରେ ବିଜୟୀ ହେବା ସହ ଆମେରିକାର କଂଗ୍ରେସର ଉଭୟ ସଦନରେ ନିଜର ପ୍ରଭାବ ବଢ଼ାଇଛନ୍ତି।
