1 min read

STF ଚଢାଉରେ ୧୧୫୦ ଜିଲାଟିନ୍ ଷ୍ଟିକ୍ ଏବଂ ୯୮୯ ଡିଟୋନେଟର ଜବତ

କୋଲକାତା : ପଶ୍ଚିମବଙ୍ଗରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଚୋରାଚାଲାଣ ବିରୋଧରେ ସ୍ପେଶାଲ ଟାସ୍କ ଫୋର୍ସ (STF) ବଡ଼ ଧରଣର ଅଭିଯାନ ଚଳାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣର ବନ୍ଧୁକ, ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଦୁର୍ଗାପୁରରେ ସାମ୍ବାଦିକ ସମ୍ମିଳନୀ କରି STF ଏସ୍‌ପି ସିଦ୍ଧାର୍ଥ ଦାପୋଲା ଏହି ବଡ଼ ସଫଳତା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାମୁଡ଼ିଆ ଓ ପାଣ୍ଡବେଶ୍ୱରରୁ ୩୮ଟି ବେଆଇନ ବନ୍ଧୁକ ଏବଂ ୧୨୨ଟି କାର୍ଟ୍ରିଜ୍ ଜବତ ହୋଇଥିବା ବେଳେ ବୀରଭୂମର ମୁରାରଇ ଅଞ୍ଚଳରୁ ୧୧୫୦ଟି ଜିଲୋଟିନ୍ ଛଡ଼ ଓ ୧୦୬୪ଟି ଡେଟୋନେଟର ମିଳିଛି। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅବୈଧ ଅସ୍ତ୍ର ଓ ବିସ୍ଫୋରକ ଯୋଗାଣ କରୁଥିବା ଏକ ଆନ୍ତଃରାଜ୍ୟ ନେଟୱର୍କର ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି। STFର ସୂଚନା ଅନୁସାରେ, ଏହି ବେଆଇନ ଅସ୍ତ୍ର ଚୋରାଚାଲାଣ ମାମଲାରେ ୩୧ ଜୁଲାଇ ୨୦୨୬ରେ ଜାମୁଡ଼ିଆ ଥାନାରେ ମାମଲା ନମ୍ବର ୩୧୦/୨୬ ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜୁଲାଇ ୩୦ରେ ବେଲବେଦ ମୋଡ଼ରୁ ଗିରଫ ହୋଇଥିବା ଖୈରୁଲ ଆଲମ ଚୌଧୁରୀ ଓରଫ ଗଦାଇଙ୍କର ଏକ ଆନ୍ତଃରାଜ୍ୟ ଅସ୍ତ୍ର ତସ୍କରୀ ଗ୍ୟାଙ୍ଗ ସହ ସମ୍ପର୍କ ଥିବା ସନ୍ଦେହ କରାଯାଇଥିଲା। ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଯୋଗାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହି ମାମଲାରେ ଅଗଷ୍ଟ ୪ରେ ଝାଡ଼ଖଣ୍ଡର ରାଞ୍ଚିରୁ ପାଣ୍ଡବେଶ୍ୱରର ବହୁଳା ନିବାସୀ ମହମ୍ମଦ ସମଶେର ହୁସେନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସୂଚନା ଆଧାରରେ ଅଗଷ୍ଟ ୯ରେ ଅଣ୍ଡାଲ ଥାନା ଅଞ୍ଚଳର ଇସିଏଲ୍ର ଏକ ଘରୁ ୧୫ଟି ବନ୍ଧୁକ, ୫୭ଟି ଗୁଳି ଓ ଦୁଇଟି ଖାଲି ମ୍ୟାଗାଜିନ୍ ଜବତ ହୋଇଥିଲା। ଏହା ପରେ ଅକ୍ଟୋବର ୨୬ରେ ଦାଲୁରବାଦରୁ ଶେଖ ଶାହଜାହାନ ଓରଫ ସଜାହାନଙ୍କୁ ଗିରଫ କରାଯାଇଥିଲା। ପୋଲିସ ହେପାଜତରେ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ନଭେମ୍ବର ୩ ଓ ୫ ତାରିଖରେ ପାଣ୍ଡବେଶ୍ୱରର ଦାନୟୋ ଗାଁରେ ଲଗାତାର ଚଢ଼ାଉ କରାଯାଇଥିଲା। ଦକ୍ଷିଣ ସାମଲା କୋଲିୟାରି ନିକଟସ୍ଥ ଚାଷ ଜମିରେ ମାଟି ତଳେ ଲୁଚାଇ ରଖାଯାଇଥିବା ୬ଟି ଦେଶୀ ବନ୍ଧୁକ, ୪ଟି ଦେଶୀ ପିସ୍ତଲ ଓ ୧୧ଟି ଦେଶୀ ଏକନଳି ପାଇପଗନ୍ ଜବତ କରାଯାଇଥିଲା। ଏହା ସହ ୮ ଏମ୍ଏମ୍‌ର ୪୭ଟି ଓ ୭.୬୫ ଏମ୍ଏମ୍‌ର ୧୮ଟି ଗୁଳି ମଧ୍ୟ ମିଳିଥିଲା। ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୩୮ଟି ବନ୍ଧୁକ, ୧୨୨ଟି ଗୁଳି ଓ ଦୁଇଟି ଖାଲି ମ୍ୟାଗାଜିନ୍ ଜବତ ହୋଇଛି।

Leave a Reply

Your email address will not be published. Required fields are marked *