ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ
1 min read

ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ

ଭାପୁର, ୨୩/୦୮: ରାଜ୍ୟ ସରକାର ଲୋକମାନଙ୍କୁ ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମରେ. ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ପମ୍ପ ହାଉସ)ମାଧ୍ୟମରେ ପାଇପ ଯୋଗେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି.

ପମ୍ପ ହାଉସରେ ପାଣି ଚଲାଇବା ପାଇଁ କର୍ମଚାରୀ ନିଯୁକ୍ତି କରାଯାଇଛି. କିନ୍ତୁ ପମ୍ପ ହାଉସରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମନମାନି ପାଇଁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀମାନେ. ମାଣିବନ୍ଧ ଗ୍ରାମଠାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗୋଟିଏ ପମ୍ପ ହାଉସ ତିଆରି କରାଯାଇ ମାଣିବନ୍ଧ ଓ କେନ୍ଦୁପଲ୍ଲୀ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି. ପରବର୍ତ୍ତୀ ସମୟରେ ଜନସାଧାରଣ ମାନଙ୍କ ସୁବିଧା ପାଇଁ ସେଠାରେ ଗୋଟିଏ ଉଚ୍ଚସମ୍ପର୍ଣ୍ଣ ପାଣି ଟାଙ୍କି ତିଆରି କରାଯାଇ ବିଦ୍ୟୁତ ନଥିବା ସମୟରେ ଉଭୟ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି. ପୂର୍ବରୁ ସକାଳେ ୨ ଘଣ୍ଟା ଓ ଅପରାହ୍ନରେ ୧ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯାଉଥିଲା.

କିନ୍ତୁ ବର୍ତ୍ତମାନ ଉଭୟ ଗ୍ରାମକୁ ସକାଳ ସମୟରେ କେବଳ ମାତ୍ର ୪୫ ମିନିଟ ଲେଖାଏଁ ପାନୀୟ ଜଳ ଯୋଗାଣ କରାଯାଉଥିବାରୁ ଲୋକମାନେ ଆବଶ୍ୟକୀୟ ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି. ଯାହାଫଳରେ ଲୋକମାନେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ କୂଅ ପୋଖରୀ ଉପରେ ନିର୍ଭର କରୁଛନ୍ତି. କୂଅ, ପୋଖରୀ ପାଣି ପିଇ ଲୋକମାନେ ଝାଡ଼ା,ବାନ୍ତି ଆଦି ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି. ପାନୀୟ ଜଳ ଠିକରେ ମିଳୁନଥିବା ଘଟଣା ଭାପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ.ମାଣିବନ୍ଧ ଗ୍ରାମବାସୀ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଓ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଉଚ୍ଚପଦସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ଦୁଇ ଗ୍ରାମର ଜନସାଧାରଣ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *