1 min read

ଘୋଷଣା ଅଛି, ବିକାଶ ନାହିଁ 

ପଂଚାୟତ ନିର୍ବାଚନ ହେବ କି ଅଗ୍ନି ପରୀକ୍ଷା 

ଅସ୍ତରଙ୍ଗ :- ଗାଁରେ ବିକାଶ କେଉଁଠି? ଘୋଷଣା ହେଲା, ଶିଳାନ୍ୟାସ ହେଲା, ହେଲେ ଲୋକଙ୍କ ସମସ୍ୟା ସମାଧାନ ହେଲା କି? ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ଏବେ ଏହି ପ୍ରଶ୍ନ ହିଁ ସବୁଠୁ ବଡ ହୋଇଛି। ରାଜ୍ୟରେ ସରକାର ବଦଳିଛି, ହେଲେ ଗାଁ ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି ତାର ହିସାବ ନେବାକୁ ଭୋଟର ଅପେକ୍ଷା କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିକାଶର ଦାବି ଓ ବାସ୍ତବସ୍ଥିତି ମଧ୍ୟରେ ଥିବା ଫରକ ହିଁ ରାଜନୀତିର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

କାକଟପୁର ବ୍ଲକର ୧୬ ଗୋଟି ଓ ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତ କାକଟପୁର ନିର୍ବାଚନ ମଣ୍ଡଳୀ ରହିଛି । ୩୧ଟି ପଞ୍ଚାୟତରେ ଏବେ ଗୋଟିଏ ଚର୍ଚ୍ଚା, ନୂଆ କାମ କେତେ? ବିଜେପି ସରକାର ପାଇଁ ପ୍ରଶ୍ନ ସିଧାସଳଖ। କେତେ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି, କେତେ ଶେଷ ହୋଇଛି ଆଉ କେତେ ଅଧାପାନ୍ତରିଆ ହୋଇ ପଡିଛି? ରାସ୍ତା, ପାନୀୟ ଜଳ, ଭତ୍ତା, ସ୍ୱାସ୍ଥ୍ୟ, ଡ୍ରେନେଜ ଓ ଆବାସ ଭଳି ମୌଳିକ ସୁବିଧାକୁ ନେଇ ଲୋକଙ୍କ ଅଭିଯୋଗର ଉତ୍ତର ଦେବାକୁ ପଡିବ। ପୁରୁଣା ସରକାର ସମୟର କାମକୁ ନୂଆ ସରକାରର ଉପଲବ୍ଧି ବୋଲି ଦେଖାଇ ହେବ ନାହିଁ। କେଉଁଠି କେତେ ନୂଆ କାମ ହୋଇଛି ତାର ତଥ୍ୟ ହିଁ ଦାବିର ଆଧାର ହେବ। ବିଭିନ୍ନ ପଞ୍ଚାୟତରୁ ଯେଉଁ ଖବର ଆସୁଛି ତାହା ଚିନ୍ତାଜନକ। ମନରେଗା ଯୋଜନା, ଯାହାର ନାଁ ଏବେ ପରିବର୍ତ୍ତନ ହୋଇଛି, ତାହାକୁ ମେସିନ ମାଧ୍ୟମରେ କରି ଅର୍ଥ ଆତ୍ମସାତ ଅଭିଯୋଗ ଉଠୁଛି। ଅନେକ ସ୍ଥାନରେ ନୂଆ କୋଠାଘର ନିର୍ମାଣ ବଦଳରେ ପୁରୁଣା ଘର ମରାମତି କରି ରଙ୍ଗ ମରାଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି। ଫଳରେ ସରକାରୀ ଅର୍ଥ ହରିଲୁଟ ହେଉଛି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜେପି ପାଇଁ ସବୁଠୁ ବଡ ସମସ୍ୟା ହେଉଛି ଅନ୍ତଃକନ୍ଦଳ। ସ୍ଥାନୀୟ ଅଞ୍ଚଳରେ ବହୁ ବର୍ଷ ଧରି ଦଳ ପାଇଁ ସଂଗଠନ ସଜାଡିଥିବା ପୁରୁଖା କର୍ମୀ ଏବେ ଅଣଦେଖା ହେଉଛନ୍ତି। ସରକାର ବଦଳିବା ପରେ ବିଦେଶୀ ପକ୍ଷୀ ଭଳି ଅନ୍ୟ ଦଳରୁ ଆସି ଅନେକ ନେତା ବିଜେପିର ମୁଖିଆ ହେଉଛନ୍ତି। ଫଳରେ ପୁରୁଖା କର୍ମୀଙ୍କ ମଧ୍ୟରେ କୁହୁଳିବା ଆରମ୍ଭ ହୋଇଛି। ବିଭିନ୍ନ ବୈଠକରେ ଦୁଇ ଜଣ ପୂର୍ବତନ ବିଧାୟକଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖାଦେଉଛି, ଯାହା ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ। ପୁରୁଖା କର୍ମୀଙ୍କୁ ପୁଣି ଥରେ ସାମ୍ନାକୁ ନ ଆଣିଲେ ସମିତି ସିଂହାସନ ହାତରୁ ଖସିପାରେ।

ଏହା ସହ ସମୀକରଣ ବଦଳାଇଛି ନଈଗୁଆଁ ଫ୍ୟାକ୍ଟର। ୨୦୨୨ ପଞ୍ଚାୟତ ନିର୍ବାଚନରେ ସର୍ବାଧିକ ଭୋଟ ପାଇଥିବା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ସରପଞ୍ଚଙ୍କ ସମର୍ଥିତ ମିଳିତ ମେଣ୍ଟ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅକ୍ତିଆର କରିଥିଲା। ହେଲେ ଏବେ ସେହି ମେଣ୍ଟ ବିଭାଜନ ହୋଇଯାଇଛି। ନଈଗୁଆଁ ସରପଞ୍ଚଙ୍କ ପ୍ରତିନିଧି ବର୍ତ୍ତମାନ କଂଗ୍ରେସ ନେତା ମଙ୍ଗୁ ଆଳଙ୍କ ସହ ଦୃଢ ଭାବେ ରହିଛନ୍ତି। କଂଗ୍ରେସ ଶିବିରରେ  ସମିତି ଅଙ୍କ ସମ୍ପୂର୍ଣ୍ଣ ବଦଳିଯାଇଛି। ଏହା ଆଗାମୀ ନିର୍ବାଚନରେ ବଡ ଫ୍ୟାକ୍ଟର ହେବ। ବିଜେଡି ପାଇଁ ମଧ୍ୟ ଏହା ଆତ୍ମସମୀକ୍ଷାର ସମୟ। ୨୦୨୨ରେ ମିଳିତ ମେଣ୍ଟ ବିଜେଡିକୁ ଗାଦିଚ୍ୟୁତ କରିଥିଲା। ଏବେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ପାଇଁ ସୁଯୋଗ ଅଛି। ହେଲେ ଦଳକୁ “ଆମ ଗାଁ ଆମ ବିକାଶ” ଓ ମେଗା ପାନୀୟ ଜଳ ଯୋଜନାର ଅଗ୍ରଗତିକୁ ନେଇ ପ୍ରଶ୍ନର ସାମ୍ନା କରିବାକୁ ପଡିବ। ନିକଟରେ ହୋଇଥିବା ଛାତ୍ର ନିର୍ବାଚନରେ ବିଜେଡିର ବୃହତ ବିଜୟ ଯୁବ ଭୋଟରଙ୍କ ମନୋଭାବ ବଦଳିବାର ସଙ୍କେତ ଦେଉଛି। ତେଣୁ ଏଥର ପଞ୍ଚାୟତ ଲଢେଇ କେବଳ ଦଳୀୟ ପ୍ରତିଦ୍ୱନ୍ଦ୍ୱିତାରେ ସୀମିତ ରହିବ ନାହିଁ। ଏହା ହେବ ପ୍ରତିଶ୍ରୁତି, ପ୍ରକଳ୍ପ ଓ ଲୋକଙ୍କ ମୌଳିକ ସମସ୍ୟାର ହିସାବ ନେବାର ଲଢେଇ। ନେତାଙ୍କ ମିଛ ହସ, ହାତ ମିଳା, ଭାଷଣ ଅପେକ୍ଷା ଗାଁରେ ହୋଇଥିବା କାମ ଓ ଲୋକଙ୍କ ଅନୁଭବ ହିଁ ନିର୍ବାଚନୀ ଚର୍ଚ୍ଚାର କେନ୍ଦ୍ରରେ ରହିବ।

Leave a Reply

Your email address will not be published. Required fields are marked *