ବନ୍ତିଲୋରେ କୋଟି କୋଟି ଟଙ୍କାର ‘ଭୂତ କୋଠା’! ରୋଗୀ ନୁହେଁ, ଗଡୁଛି ମଦ ବୋତଲ।
ଅସ୍ତରଙ୍ଗ, ୨୩/୦୮: ଦୂରରୁ ଦେଖିଲେ ଲାଗିବ ଯେପରି ଏକ ପରିତ୍ୟକ୍ତ କୋଠା। ଚାରିଆଡ଼େ ଅନ୍ଧାର, ପରିସରରେ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍ ଓ ଅଳିଆ ଆବର୍ଜନା। ରୋଗୀଙ୍କ ଚଳପ୍ରଚଳ ବଦଳରେ ଏଠାରେ ନିଶାଡ଼ିଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ଏହା କୌଣସି ଭୂତକୋଠା ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ନିର୍ମିତ ବନ୍ତିଲୋ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଚିତ୍ର।
୨୦୨୩ ନଭେମ୍ବର ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ ବୋଲି କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପର ମୋଟ ବ୍ୟୟ କେତେ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିବା ଅଭିଯୋଗ ହେଉଛି। ପରିସରରେ ମଧ୍ୟ ସୂଚନା ଫଳକ ନଥିବା ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ ଆରମ୍ଭରୁ ହିଁ କାମର ମାନକୁ ନେଇ ପ୍ରଶ୍ନ ଉଠିଥିଲା। ବାଲି ପରିବର୍ତ୍ତେ ମାଟି ଫିଲିଂ ଏବଂ ଭଲ ଇଟା ବଦଳରେ ନିମ୍ନମାନର ଇଟା ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାସ୍ଥଳକୁ ଅଧିକାରୀମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏପଟେ ନୂଆ ସରକାରକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ବନ୍ତିଲୋ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଭାଗ୍ୟ ବଦଳିନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କଟାକ୍ଷ—‘ଖାଲି ରଙ୍ଗ ବଦଳିଲା, ଭାଗ୍ୟ ବଦଳିଲାନି।’
ଅଗଷ୍ଟ ୨୦୨୬ର ଶେଷ ସପ୍ତାହ ଚାଲିଥିବା ବେଳେ ଭିତ୍ତିପ୍ରସ୍ତର ସ୍ଥାପନର ପ୍ରାୟ ୩୩ ମାସ ପରେ ମଧ୍ୟ କେନ୍ଦ୍ରଟି ହସ୍ତାନ୍ତର ହୋଇନାହିଁ। ନିର୍ମାଣ କାମରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଏହି ବିଳମ୍ବର ସିଧାସଳଖ ପ୍ରଭାବ ପଡୁଛି ଅଞ୍ଚଳବାସୀଙ୍କ ଉପରେ। ବନ୍ତିଲୋ, କେଉଟଜଙ୍ଗା, ଉଦୟକଣୀ, ଶିଶୁଅ ଓ କୋରଣା ଅଞ୍ଚଳର ୧୦ ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଦୂର ଅଞ୍ଚଳକୁ ଯିବାକୁ ବାଧ୍ୟ ହେଉଥିବା କୁହାଯାଉଛି। ଜରୁରୀ ସ୍ଥିତି, ଜ୍ୱର କିମ୍ବା ପ୍ରସବ ଯନ୍ତ୍ରଣା ସମୟରେ ପ୍ରାୟ ୧୦ କିମି ଦୂର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି।
ଏନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସଞ୍ଜୟ ପ୍ରଧାନ କହିଛନ୍ତି, କିଛି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର କାମ ଏବେ ବି ଚାଲିଛି। ସମ୍ପୂର୍ଣ୍ଣ କାମ ଶେଷ ହୋଇନଥିବାରୁ ହସ୍ତାନ୍ତର ହୋଇନାହିଁ।
ତେବେ ଏହି ଉତ୍ତରରେ ସନ୍ତୁଷ୍ଟ ନୁହନ୍ତି ସ୍ଥାନୀୟ ବାସିନ୍ଦା। ନିର୍ମାଣ କାମର ଗୁଣବତ୍ତା, ବ୍ୟୟ ଓ ବିଳମ୍ବକୁ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହ ଭିଜିଲାନ୍ସ ତଦନ୍ତ କରାଇବାକୁ ଦାବି ହୋଇଛି। ଏଥିସହ ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ।