ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା
1 min read

ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ, ୨୩/୮: ଭାରତ-ଚୀନ୍ ସୀମା ବିବାଦକୁ ନେଇ କୂଟନୈତିକ ଆଲୋଚନା ପୁଣିଥରେ ଗୁରୁତ୍ୱ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର, ଅଗଷ୍ଟ ୨୪ରେ ବେଜିଂ ଗସ୍ତ କରିବେ। ସେଠାରେ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍‌ର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟିଙ୍କ ସହ ସୀମା ପ୍ରସଙ୍ଗରେ ଆଲୋଚନା କରିବେ।

ସରକାରୀ ସୂତ୍ର ଅନୁଯାୟୀ, ଡୋଭାଲ ଓ ୱାଙ୍ଗ ୟି ମଙ୍ଗଳବାର ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି (SR) ଆଲୋଚନାର ୨୫ତମ ପର୍ଯ୍ୟାୟରେ ଯୋଗଦେବେ। ଏହି ବୈଠକରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ସମେତ ସୀମାରେ ଶାନ୍ତି ଓ ସ୍ଥିରତା, ତଣାପୋଡ଼ ହ୍ରାସ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ୨୦୦୩ରେ ସ୍ୱତନ୍ତ୍ର ପ୍ରତିନିଧି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଅଧୀନରେ ଦୁଇ ଦେଶର ବରିଷ୍ଠ ପ୍ରତିନିଧିମାନେ ସୀମା ପ୍ରସଙ୍ଗର ରାଜନୈତିକ ଓ କୂଟନୈତିକ ସମାଧାନ ନେଇ ସିଧାସଳଖ ଆଲୋଚନା କରନ୍ତି। ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଲମ୍ବା ବିବାଦୀୟ ସୀମା ରହିଛି।

ଗତବର୍ଷ ଅଗଷ୍ଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୪ତମ ପର୍ଯ୍ୟାୟ ଆଲୋଚନାରେ ଦୁଇ ପକ୍ଷ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ୨୦୦୫ର ‘Political Parameters and Guiding Principles’ ଚୁକ୍ତିକୁ ସୀମା ବିବାଦର ବ୍ୟାପକ ସମାଧାନ ପାଇଁ ଏକ ଆଧାର ଭାବେ ବ୍ୟବହାର କରିବା ଉପରେ ସହମତ ହୋଇଥିଲେ। ଏହାସହ ସୀମା ପରିଚାଳନା ଓ ତଣାପୋଡ଼ ହ୍ରାସ ନେଇ ଆଲୋଚନା ଜାରି ରଖିବାକୁ ମଧ୍ୟ ଉଭୟ ପକ୍ଷ ସମ୍ମତ ହୋଇଥିଲେ।

ଆଗାମୀ ଆଲୋଚନା ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ଓ ସ୍ଥିରତା ମଜବୁତ କରିବା ସହ ଦୀର୍ଘଦିନର ସୀମା ବିବାଦର ସମାଧାନ ଦିଗରେ ଆଗକୁ ବଢ଼ିବାରେ କେତେ ଦୂର ସହାୟକ ହେବ, ତାହା ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *