ଆଇଆଇଟି ଖଡ଼ଗପୁରରେ ଭାରତର ୭୫ ବର୍ଷର ବିକାଶ ଯାତ୍ରା ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ
ଖଡ଼ଗପୁର (ପ୍ରଜାତନ୍ତ୍ର ରିପୋର୍ଟ): ଗତ ୭୫ ବର୍ଷ ମଧ୍ୟରେ ଭାରତରେ ବୈଷୟିକ ଓ ଭିତ୍ତିଭୂମି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି। ଦେଶ ଆଜି ବଳଦ ଗାଡ଼ି ଯୁଗରୁ ବୁଲେଟ୍ ଟ୍ରେନ୍ ଏବଂ ଡାକ ଚିଠିରୁ ସୋସିଆଲ ମିଡିଆ ମେସେଜ୍ ପର୍ଯ୍ୟନ୍ତ ଯାତ୍ରା କରିସାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ପଶ୍ଚିମବଙ୍ଗସ୍ଥିତ ଆଇଆଇଟି ଖଡ଼ଗପୁରର ୭୫ତମ ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ୍ ଜୁବଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ଏହି ବିକାଶ ଯାତ୍ରା ଉପରେ ଆଲୋକପାତ କରିଛନ୍ତି।
ସମାରୋହରେ ଉପସ୍ଥିତ ଛାତ୍ରଛାତ୍ରୀ, ପ୍ରଫେସର ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ମଞ୍ଚରେ ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଏକାଠି ହୋଇଛି। ଆଇଆଇଟି ଖଡ଼ଗପୁରର ଏହି ପ୍ଲାଟିନମ୍ ଜୁବଲି କେବଳ ଅନୁଷ୍ଠାନର ୭୫ ବର୍ଷର ଗୌରବମୟ ଇତିହାସକୁ ମନେ ପକାଇବାର ଅବସର ନୁହେଁ, ବରଂ ଆଗାମୀ ଦିନରେ ଦେଶର ପ୍ରଗତିର ଦିଗ ନିର୍ଦ୍ଧାରଣ କରିବାକୁ ଥିବା ନୂତନ ଉଦ୍ଭାବନ ଓ ଉପଲବ୍ଧି ଉପରେ ଚର୍ଚ୍ଚା କରିବାର ଏକ ମହତ୍ତ୍ୱପୂର୍ଣ୍ଣ ସୁଯୋଗ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ସମାରୋହରେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭରୁ ହିଁ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଖରାପ ପାଗ ଯୋଗୁଁ ହେଲିକପ୍ଟର ଯାତ୍ରାରେ ବାଧା ସୃଷ୍ଟି ହୋଇଥିବାରୁ ସେ କଳାଇକୁଣ୍ଡା ବାୟୁସେନା ଘାଟିରେ ଅବତରଣ କରିବା ପରେ ସଡ଼କ ପଥରେ ଯଥାଶୀଘ୍ର ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଳମ୍ବ ହୋଇଯାଇଥିବା ସେ ସ୍ପଷ୍ଟ କରିଥିଲେ।
