ମା’ଙ୍କୁ ହରାଇ ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ମା’ଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୁକ୍ରବାର ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମ ପଞ୍ଚୁରରେ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ ଘଟିଥିଲା। ଶନିବାର ସକାଳେ ପଞ୍ଚୁର ଗ୍ରାମରୁ ସାବିତ୍ରୀ ଦେବୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ନିମନ୍ତେ ହରିଦ୍ୱାର ଅଣାଯାଇଥିଲା। ମା’ଙ୍କ ଶେଷଯାତ୍ରାରେ ପାର୍ଥିବ ଶରୀରକୁ କାନ୍ଧ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ମା’ଙ୍କ ଶେଷ ବିଦାୟର ଏହି ଅତ୍ୟନ୍ତ ଭାବବିହ୍ୱଳ ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ମର୍ମାହତ କରିଦେଇଥିଲା। ହରିଦ୍ୱାରର ଚଣ୍ଡୀଘାଟଠାରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ପୈତୃକ ଗ୍ରାମରେ ପହଞ୍ଚିବା ପରେ ଯୋଗୀ ଆଦିତ୍ୟନାଥ ରାତିସାରା ମା’ଙ୍କ ମୃତଦେହ ନିକଟରେ ବସି ରହିଥିଲେ। ଶନିବାର ମା’ଙ୍କ ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ ପରବର୍ତ୍ତୀ ରୀତିନୀତି ଶେଷ କରିବା ପରେ ସେ ପୁଣି କର୍ତ୍ତବ୍ୟ ପଥକୁ ଫେରିବେ। ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶନିବାର ଅପରାହ୍ନ ୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ରହିବା ପରେ ଲକ୍ଷ୍ନୌ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମା’ଙ୍କ ଦେହାନ୍ତ ଖବର ମିଳିବା ସମୟରେ ଯୋଗୀ ଆଦିତ୍ୟନାଥ ଗୋରଖପୁରର ଚମ୍ପା ଦେବୀ ପାର୍କଠାରେ ଯୁବବର୍ଗଙ୍କୁ ଟାବଲେଟ୍ ବଣ୍ଟନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଉଥିଲେ। ସେହି ସମୟରେ ମା’ଙ୍କ ପରଲୋକ ସୂଚନା ପ୍ରଥମେ ବିଜେପି ସାଂସଦ ରବି କିଶନଙ୍କ ନିକଟରେ ପହଞ୍ଚିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅବନୀଶ ଅବସ୍ଥୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଯୋଗୀ ନିଜର ପ୍ରାୟ ୬୧ ମିନିଟ୍ର ଅଭିଭାଷଣ ଶେଷ କରି ମଞ୍ଚ ପଛକୁ ଯିବା ପରେ ତାଙ୍କୁ ଏହି ଦୁଃଖଦ ଖବର ଦିଆଯାଇଥିଲା। ଖବର ପାଇବା ମାତ୍ରେ ସେ ଗୋଣ୍ଡା ଗସ୍ତ ସମେତ ନିଜର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଦେଇଥିଲେ। ଏହାପରେ ସେ ଲକ୍ଷ୍ନୌର ଅମୌସୀ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଡେରାଡୁନ୍ର ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ସଡ଼କ ପଥରେ ଯାଇ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍ରେ ନିଜ ପୈତୃକ ଗ୍ରାମ ପଞ୍ଚୁରରେ ପହଞ୍ଚିଥିଲେ।
