ଆସନ୍ତା ବର୍ଷଠାରୁ ଭାରତରେ ୧୦୦୦ କିମି ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷା କରିବ ଜାପାନ

ଟୋକିଓ/ନୂଆଦିଲ୍ଲୀ : ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ରଣନୈତିକ ସମ୍ପର୍କରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଏଣିକି ଜାପାନ ସେନା ପ୍ରଥମ ଥର ପାଇଁ ଭାରତ ମାଟିରେ ନିଜର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିବ। ଗୁରୁବାର ଟୋକିଓଠାରେ ଦୁଇ ଦେଶ ମଧ୍ୟରେ ଆୟୋଜିତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସହମତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ବର୍ଷଠାରୁ ଜାପାନ ନିଜର ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ ପାଇଁ ଭାରତର ଫାୟାରିଙ୍ଗ ରେଞ୍ଜ ବ୍ୟବହାର କରିପାରିବ। ଜାପାନ ମୁଖ୍ୟତଃ ନିଜର ୧,୦୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତାସମ୍ପନ୍ନ ‘ଟାଇପ୍-୨୫ ଆଣ୍ଟି-ଶିପ୍ ମିସାଇଲ୍’ ଏବଂ ଛୋଟ ଆକ୍ରମଣାତ୍ମକ ଡ୍ରୋନ୍ ପରୀକ୍ଷା କରିବାକୁ ଚାହୁଁଥିବା ବେଳେ ନିଜ ଦେଶରେ ଏଥିପାଇଁ ଆବଶ୍ୟକୀୟ ଖାଲି ସ୍ଥାନର ଅଭାବ ରହିଛି।
ଏହି ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶିଂଜିରୋ କୋଇଜୁମି କହିଛନ୍ତି ଯେ, ଆସନ୍ତା ବର୍ଷ ଦେଶର ଆତ୍ମ-ପ୍ରତିରକ୍ଷା ବାହିନୀ ପ୍ରଥମ ଥର ପାଇଁ ଭାରତର ଫାୟାରିଙ୍ଗ ରେଞ୍ଜର ଉପଯୋଗ କରିବ, ଯାହା ରଣନୈତିକ ଦୃଷ୍ଟିରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ନିମନ୍ତେ ଏକ ବିଶାଳ ତଥା ସୁରକ୍ଷିତ ଫାୟାରିଙ୍ଗ କ୍ଷେତ୍ରର ଆବଶ୍ୟକତା ରହିଥାଏ। କ୍ଷେପଣାସ୍ତ୍ର ଉତ୍କ୍ଷେପଣ ପରେ ତାହାର ସମ୍ପୂର୍ଣ୍ଣ ଗତିପଥ ଏବଂ ସମ୍ଭାବ୍ୟ ପ୍ରଭାବଯୁକ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼େ। ଏଭଳି ପରୀକ୍ଷଣ ପାଇଁ ସମୁଦ୍ର ମଧ୍ୟରେ ପର୍ଯ୍ୟାପ୍ତ ଖାଲି ସ୍ଥାନ ଆବଶ୍ୟକ, ଯେପରି କୌଣସି ବାଣିଜ୍ୟିକ ଜାହାଜ କିମ୍ବା ମାନବୀୟ ଗତିବିଧି ପ୍ରତି ବିପଦ ନରହେ।
ଏହି ଦୃଷ୍ଟିକୋଣରୁ ଭାରତ ନିକଟରେ ଉନ୍ନତ ଭିତ୍ତିଭୂମି ଓ ବିଶାଳ ସାମରିକ ପ୍ରଶିକ୍ଷଣ କ୍ଷେତ୍ର ସହ ସମୁଦ୍ରରେ ବଡ଼ ଅପରେସନ୍ ସ୍ଥଳୀ ଉପଲବ୍ଧ ରହିଛି। ତେବେ ଭାରତ ଓ ଜାପାନ ମଧ୍ୟରେ ଏହି ପ୍ରତିରକ୍ଷା ସହଯୋଗ କେବଳ କ୍ଷେପଣାସ୍ତ୍ର ପରୀକ୍ଷଣ କିମ୍ବା ସାମରିକ ପ୍ରଶିକ୍ଷଣରେ ସୀମିତ ରହିବ ନାହିଁ, ବରଂ ଆଗାମୀ ଦିନରେ ପ୍ରତିରକ୍ଷା ଜ୍ଞାନକୌଶଳ (ଡିଫେନ୍ସ ଟେକ୍ନୋଲୋଜି) ଏବଂ ମିଳିତ ସାମରିକ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ଏକାଠି ଆଗକୁ ବଢ଼ିବେ ବୋଲି ସ୍ପଷ୍ଟ କରାଯାଇଛି।
