ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକାରୀ – ଠିକାଦାର ମିଲିଭଗତ; ଦିନରେ ଗୋଟେ ଠିକାଦାର, ରାତିରେ ଆଉ ଏକ ଠିକାଦାର 
1 min read

ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକାରୀ – ଠିକାଦାର ମିଲିଭଗତ; ଦିନରେ ଗୋଟେ ଠିକାଦାର, ରାତିରେ ଆଉ ଏକ ଠିକାଦାର 

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହିତ ତାର ଶାଖା ଦେବୀ ନଦୀ ମଧ୍ୟ ରୌଦ୍ର ରୂପ ଧାରଣ କରିଛି। ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ସଂଯୋଗ କରୁଥିବା ଅନେକ ସ୍ଥାନରେ ଅଂଚଳ ର ଲୋକ ଯେତେବେଳେ ଘର ବଞ୍ଚାଇବା ପାଇଁ ଚିନ୍ତା କରୁଛନ୍ତି, ସେତେବେଳେ ଜଗତସିଂହପୁର ଜଳସମ୍ପଦ ବିଭାଗ ର କିଛି ଅଧିକାରୀ ଓ ମିଲିଭଗତ ଠିକାଦାର ମାନେ ଚିନ୍ତା କରୁଛନ୍ତି କେମିତି ବନ୍ୟା ରୁ ଅଧିକ ଟଙ୍କା କମାଯିବ।ଆଶ୍ଚର୍ଯ୍ୟ ର କଥା ହେଲା, ଯେଉଁ ସ୍ଥାନ ରେ ବନ୍ଧ ସୁରକ୍ଷା ପାଇଁ ବାଲି ବସ୍ତା ପକାଯିବା କଥା, ସେଠାରେ ଏବେ ବିଲ ସୁରକ୍ଷା ଅଭିଯାନ ଚାଲିଛି।

ଦିନ ବେଳା ଜଣେ ଠିକାଦାର ଆସି ସ୍ୱଳ୍ପ ପରିମାଣ ରେ ବାଲି ବସ୍ତା ପକାଇ ଫଟୋ ଉଠାଇ ଚାଲିଯାଉଛନ୍ତି।

ରାତି ହେଲେ ଆଉ ଜଣେ ଠିକାଦାର ସେହି ସ୍ଥାନ ରେ ପୁଣି ବସ୍ତା ପକାଉଛନ୍ତି। ଅର୍ଥାତ କାମ ଗୋଟେ, କିନ୍ତୁ ବିଲ ଦୁଇଟା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାତ୍ର ଶହେ ଟି ବାଲି ବସ୍ତା ପକାଇ ୫ ଲକ୍ଷ ଟଙ୍କା ର ବିଲ ତିଆରି ହେଉଛି।

ହିସାବ ବହୁତ ସରଳ – ଯେତେ ବନ୍ୟା, ସେତେ ବସ୍ତା। ଯେତେ ବସ୍ତା, ସେତେ ଲକ୍ଷ।ଜଳସମ୍ପଦ ବିଭାଗ ର ଅଧିକାରୀ ମାନେ ସବୁ ଜାଣି ମଧ୍ୟ ନଜାଣିବା ଭଳି ଅଛନ୍ତି। କାରଣ ଏହି “ମିଲିଭଗତ” ରେ ସମସ୍ତଙ୍କ ହିତ ଜଡିତ।

ଠିକାଦାର ଙ୍କ ପକେଟ ଗରମ ହେଉଛି, ଅଧିକାରୀ ଙ୍କ ଫାଇଲ ମୋଟା ହେଉଛି, ଆଉ ମଝି ରେ ସରକାରୀ ଅର୍ଥ ବାଲି ବସ୍ତା ରେ ବାଟମରଣା ହେଉଛି।

ଯେତେବେଳେ ଜଗତସିଂହପୁର ଅଞ୍ଚଳ ର ଗାଁ ର ଲୋକ ଛାତ ଉପରେ ବସି ସାହାଯ୍ୟ ଅପେକ୍ଷା କରୁଛନ୍ତି, ସେତେବେଳେ ଏଠାରେ କିଛି ଲୋକ ବନ୍ୟା କୁ ଏଟିଏମ କରି ଦେଇଛନ୍ତି। ଆଉ ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ସଂଯୋଗ ମଝିରେ ରୋଜଗାର ମାଧ୍ୟମ ପାଲଟିଛି।

ବନ୍ଧ ଭାଙ୍ଗିଲେ ଲୋକ ଡୁବିବେ, କିନ୍ତୁ ବିଲ ପାସ ହେଲେ କିଛି ଲୋକ ଫୁଲିବେ।ଏହା କି ସୁରକ୍ଷା କାମ ନା ସରକାରୀ ଲୁଟ୍ ର ନୂଆ ମଡେଲ?  

ଜଳସମ୍ପଦ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଯଦି କର୍ମଚାରୀ ଏମିତି ଲୁଟ ରେ ବ୍ୟସ୍ତ ରୁହନ୍ତି, ତେବେ ସାଧାରଣ ଲୋକ କାହା ପାଖକୁ ଯିବେ?

ଉର୍ଦ୍ଧ୍ୱପତନ କର୍ତୃପକ୍ଷ ଯଦି ଏବେ ମଧ୍ୟ ଚୁପ୍ ରୁହନ୍ତି, ତେବେ ବୁଝିବାକୁ ପଡିବ ବନ୍ୟା ଠାରୁ ବଡ ବିପଦ ହେଲା ବାଲି ବସ୍ତା ନାମରେ ହେଉଥିବା ଦୁର୍ନୀତି। ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ।

Leave a Reply

Your email address will not be published. Required fields are marked *