ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି 
1 min read

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି 

ରଘୁନାଥପୁର, ୧/୮(ପିପିଏସ): ମହାନଦୀରେ ବନ୍ୟା ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ରଘୁନାଥପୁର ବ୍ଲକ ଅଞ୍ଚଳର ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ପୂରଣ ଆଦିବାସୀ ସାହିରେ ବନ୍ୟାଜଳ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସ୍ଥଳେ ଲୋକମାନେ ଘରୁ ଯିବାକୁ ଅମଙ୍ଗ ହୋଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏଡିଏମ ଜ୍ୟୋତିଶଙ୍କର ରାୟ,ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆଇଆଇସି ପ୍ରେମଜିତ ଦାସ ଗତକାଲି ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝାକରି ସ୍ଥାନାନ୍ତରିତ କରିଥିଲେ।

ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ନିକଟସ୍ଥ ବାଙ୍କଳ ଅଙ୍ଗନୱାଡ଼ି କେନ୍ଦ୍ରରେ ରଖାଯାଇଥିଲା।ସମସ୍ତଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଶନିବାର ଏହି ସ୍ଥାନରେ ସାଂସଦ ବିଭୂପ୍ରସାଦ ତରେଇ, ଜିଲ୍ଲାପାଳ ଜେ ସୋନାଲ, ଏସପି ଅଙ୍କିତ କୁମାର ବର୍ମା, ବିଡିଓ ବିରେଞ୍ଚି ନାରାୟଣ ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କ ସମେତ ବ୍ଲକ ପ୍ରଶାସନ ପହଞ୍ଚି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିବା ସହ ଦିଆ ଯାଉଥିବା ଖାଦ୍ୟ ଯାଞ୍ଚ କରିଥିଲେ। ଏଥିସହ ପ୍ରପିଡିତଙ୍କ ଦାବି ଅନୁଯାୟୀ ବର୍ଷା ଋତୁ ପରେ ଏହି ସ୍ଥାନକୁ ଯିବା ଆସିବା ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗୃହପାଳିତ ପଶୁଙ୍କ ପାଇଁ ପାଲ ଯୋଗାଇ ଦିଆଯାଇ ଥିବାର ତହସିଲଦାର ନାୟକ ପ୍ରକାଶ କରିଛନ୍ତି।ବ୍ଲକ ପ୍ରଶାସନ ପକ୍ଷରୁ ସିଡିପିଓ ତୃପ୍ତିଲତା ମହାନ୍ତି, ଜିପିଓ ବିଶ୍ୱଜିତ ମହାପାତ୍ର,ଯନ୍ତ୍ରୀ ସୁବାଷ ଚନ୍ଦ୍ର ପୃଷ୍ଟି,ଏମାଇ ସନ୍ଦିପା ଦାସ,ପିଇଓ ପ୍ରଣତି ନାୟକଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଲୋକ ମାନଙ୍କୁ ଠିକ ସମୟରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରୁଥିବାର ଜିଲ୍ଲାପାଳ ଅନୁଭବା କଲେ ।

Leave a Reply

Your email address will not be published. Required fields are marked *