କେନ୍ଦ୍ରାପଡ଼ା, ୧୧ା୭(ଉଦୟ): କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ବିରଳ ବଉଳା କୁମ୍ଭୀରଙ୍କ ୯୨ଟି ବସା ଚିହ୍ନଟ ହୋଇଛି। ନଦୀ ଏବଂ ନାଳଗୁଡ଼ିକରେ ବାସ କରୁଥିବା ଏହି କୁମ୍ଭୀରମାନଙ୍କ ବସା ସମ୍ପର୍କରେ ଶୁକ୍ରବାର ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ମୋଟ ବସା ମଧ୍ୟରୁ କନିକା ରେଞ୍ଜରେ ସର୍ବାଧିକ ୯୦ଟି ଏବଂ ରାଜନଗର ରେଞ୍ଜରେ ୨ଟି ବସା ରହିଛି।
କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଓ ବସା ତିଆରି ଶୈଳୀ:
ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ। ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବା ପାଇଁ ଏକ ନିରାପଦ ସ୍ଥାନ ଖୋଜିଥାଏ। ନାଳ କୂଳଠାରୁ ସାମାନ୍ୟ ଉଚ୍ଚ ସ୍ଥାନରେ ଖରଖରି ପତ୍ର ଏବଂ କାଠିକୁଟା ସାହାଯ୍ୟରେ ପ୍ରାୟ ୨ ଫୁଟ ଉଚ୍ଚର ଏକ ଗଦା କରି ସେମାନେ ବସା ପ୍ରସ୍ତୁତ କରନ୍ତି।
ଏହି ଗଦା ଉପରେ କୁମ୍ଭୀର ପ୍ରାୟ ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ ଏବଂ ତା’ ଉପରେ ପୁଣିଥରେ ପତ୍ର ଓ କାଠିକୁଟା ଘୋଡ଼ାଇ ସୁରକ୍ଷିତ ରଖିଥାଏ। ଅଣ୍ଡା ଦେବାର ପ୍ରାୟ ୭୫ ଦିନ ମଧ୍ୟରେ ସେଥିରୁ ଛୁଆ ବାହାରିଥାନ୍ତି।
ସୁରକ୍ଷା ପାଇଁ ବନବିଭାଗର କଡ଼ା ନଜର:
ଅଣ୍ଡା ଦେବା ପରେ ମା’ କୁମ୍ଭୀର ବସା ଉପରେ, ପାଖରେ କିମ୍ବା ୫ ରୁ ୧୦ ଫୁଟ ଦୂରତା ମଧ୍ୟରେ ଅହୋରାତ୍ର ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ତେଣୁ ପର୍ଯ୍ୟଟକ ଏବଂ କୁମ୍ଭୀରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକାକୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥାଏ।
ଜୁନ୍ ପ୍ରଥମ ସପ୍ତାହରୁ ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ବୁଲି ଜିପିଏସ୍ (GPS) ଲୋକେଶନ ସହ ଫଟୋ ଉଠାଇ ଏହି ବସାଗୁଡ଼ିକୁ ଚିହ୍ନଟ କରିଥାନ୍ତି।
ଗତବର୍ଷ ତୁଳନାରେ ଚଳିତ ବର୍ଷ କମିଛି ବସା ସଂଖ୍ୟା:
ସୂଚନାଯୋଗ୍ୟ ଯେ, ଗତବର୍ଷ ଭିତରକନିକାରେ ମୋଟ ୧୧୭ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ କନିକା ରେଞ୍ଜରେ ୧୦୪ଟି, ରାଜନଗର ରେଞ୍ଜରେ ୧୧ଟି, ଗହୀରମଥା ରେଞ୍ଜରେ ୧ଟି ଏବଂ ମହାକାଳପଡ଼ା ରେଞ୍ଜରେ ଗୋଟିଏ ବସା ଚିହ୍ନଟ ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ବସା ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି।













Leave a Reply