ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ମୁତୟନ ହେବେ ୧୯ IPS

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉପଯୁକ୍ତ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଯୋଗାଯୋଗର ଅଭାବ ନ ରୁହେ, ସେଥିପ୍ରତି ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନୀତିକାନ୍ତି, ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ପ୍ରାଥମିକତା

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହାସହିତ କର୍ଡନ୍ ପରିଚାଳନା, ମହିଳାଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ କଡ଼ା ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ ଏବଂ ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

ନିରାପତ୍ତା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା:

ରଥଯାତ୍ରା ସମୟରେ ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ।

  • ୧୨ ହଜାର ସୁରକ୍ଷାକର୍ମୀ: ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ଏବଂ ସିଏପିଏଫ୍ (CAPF) ର କର୍ମଚାରୀଙ୍କୁ ନିୟୋଜିତ କରାଯିବ।
  • ୧୯ ଜଣ ବରିଷ୍ଠ IPS: ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟକ୍ଷ ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଦାୟିତ୍ୱରେ ରହିବେ।
  • ୪୭୩ ସିସିଟିଭି ଓ LED ସ୍କ୍ରିନ୍: ସହରର କୋଣ ଅନୁକୋଣ ଉପରେ ନଜର ରଖିବାକୁ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହା ସହ ଶ୍ରଦ୍ଧାଳୁଙ୍କୁ ଜରୁରୀ ସୂଚନା ଦେବା ପାଇଁ ୬୫ଟି ବଡ଼ ଏଲ୍‌ଇଡି (LED) ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ପ୍ରସାରଣ କରାଯିବ।
  • ତଟ ସୁରକ୍ଷା: ଜଳପଥରେ ନିରାପତ୍ତା ପାଇଁ ତଟ ସୁରକ୍ଷା ବଳ ଓ ଭାରତୀୟ ନୌସେନା ସଜାଗ ରହିଛନ୍ତି।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ୩୦୦ରୁ ଅଧିକ ଟ୍ରେନ୍

ଦିବ୍ୟାଙ୍ଗ ଏବଂ ବୟୋଜ୍ୟେଷ୍ଠ ଭକ୍ତମାନେ ଯେପରି ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ସୁବ୍ୟବସ୍ଥା କରାଯିବ। ଏହାସହିତ ରଥଯାତ୍ରା ସମୟରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଷ୍ଟେସନରେ ଯାତ୍ରୀଙ୍କୁ ସଠିକ୍ ସୂଚନା ପ୍ରଦାନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ରେଳବାଇ ସହ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବୈଠକ ପ୍ରାରମ୍ଭରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରାର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *