ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଯାପିତ

‘ଜଗତୀକରଣ ସାରସ୍ବତ ଜଗତକୁ ଛୋଟ କରିପାରିବ ନାହିଁ’

ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର ସ୍ଥାନ ନେଇ ପାରିବ ନାହିଁ। ବଜାରବାଦ ବିଶ୍ବକୁ ଛୋଟ କରି ଦେଇ ପାରେ

ଭୁବନେଶ୍ୱର: ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର ସ୍ଥାନ ନେଇ ପାରିବ ନାହିଁ। ବଜାରବାଦ ବିଶ୍ବକୁ ଛୋଟ କରି ଦେଇ ପାରେ, କିନ୍ତୁ ସାରସ୍ବତ ଜଗତକୁ ଛୋଟ କରି ପାରିବ ନାହିଁ। ବଜାରବାଦରେ ମୂଲଚାଲ ଥାଏ କିନ୍ତୁ ବହିବାଦରେ ମୂଲ୍ୟବାଦ ଥାଏ। ବଜାରବାଦରେ ବୋପର ଥାଏ, ହେଲେ ବହିବାଦରେ ବିଚାର ଥାଏ। ବଜାରବାଦ କେବେ ବି ବହିବାଦକୁ ପ୍ରଭାବିତ କରିପାରିବନି। ଆଜି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

୩ କୋଟିରୁ ଅଧିକ ଟଙ୍କାର ବହି ବିକ୍ରି

ଏଥର ୩ କୋଟିରୁ ଅଧିକ ଟଙ୍କାର ବହି ବିକ୍ରି ହୋଇଥିବା ନେଇ ମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଜିଲ୍ଲାସ୍ତରରେ ୩କୋଟି ବ୍ୟବସାୟ ହେଲେ ଏହା ଜନଆନ୍ଦାଳନରେ ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲେ। ଏଥିପାଇଁ ଯୋଜନା ପ୍ରଣୟନ ହେବ। ଏହାର ଉତ୍ତରଦାୟିତ୍ବ ସରକାର ନେବେ। ଆଗକୁ କିପରି ଭଲ ଭାବେ ପୁସ୍ତକମେଳା ହୋଇପାରିବ ଓଡ଼ିଆ ପ୍ରକାଶକ ମାନେ ଅଧିକ ପ୍ରାଥମିକତା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ। ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ ଯୋଗଦେଇ କହିଲେ, ବିକଶିତ ଓଡ଼ିଶା କହିଲେ କେବଳ ଉଚ୍ଚ ଅଟ୍ଟାଳିକା ନୁହେଁ। ବୌଦ୍ଧିକ ବିକାଶ ହିଁ ପ୍ରକୃତ ବିକାଶ। ତେଣୁ ଏ ଦିଗରେ ସରକାର ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଏଥିସହ ନୂଆ ଯୁବପିଢ଼ି ପୁସ୍ତକ ବ୍ୟବସାୟ ତଥା ପ୍ରକାଶନକୁ ବୃତ୍ତି କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ବିଭାଗର ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ସ୍ବାଗତ ବକ୍ତବ୍ୟ ଏବଂ ଯୁଗ୍ମ ସଚିବ ଦେବ ପ୍ରସାଦ ଦାଶ ଧନ୍ୟବାଦ ଦେଇଥିଲେ। ଶୋଭନା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଆମ ଓଡ଼ିଶା ସମେତ ସମସ୍ତ ପ୍ରକାଶକ ଓ ଷ୍ଟଲ୍‌ ନେଇଥିବା ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସମାରୋହରେ ‘ଫକୀରନାମା’, ‘ମାଦଳାପାଞ୍ଜିର ସାମଗ୍ରିକ ରୂପଲେଖ’, ‘ବହିକଥା’, ‘ପ୍ରଜ୍ଞାପୁରୁଷ ନାରାୟଣ ପୃଷେଠ’ ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା।

Leave a Reply

Your email address will not be published. Required fields are marked *