ଯଦି ଖଡଗେ ଚାହୁଁଛନ୍ତି, ମୁଁ ଇସ୍ତଫା ଦେବି: ଶାହ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ। ଡ. ବି.ଆର. ଆମ୍ବେଦକରଙ୍କ ସମ୍ପର୍କରେ ଶାହ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କର ବହିଷ୍କାର ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ପ୍ରକୃତରେ ଆମ୍ବେଦକରଙ୍କୁ ସମ୍ମାନ କରୁଥିବେ, ତେବେ ସେ ଶାହଙ୍କୁ ବୁଧବାର ମଧ୍ୟରାତ୍ରି ସୁଦ୍ଧା ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଉଚିତ ବୋଲି ଖଡଗେ କହିଥିଲେ।ଖଡଗେଙ୍କ ଏଭଳି ମନ୍ତବ୍ୟ ଉପରେ ଶାହ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। କିନ୍ତୁ ଏହା ଦ୍ଵାରା କଂଗ୍ରେସର ଅବସ୍ଥାରେ କୌଣସି ପ୍ରଭାବ ପକାଇବ ନାହିଁ। ଶାହ ଖଡଗେଙ୍କ ଉଦ୍ଦେଶ୍ୟରେ ଆହୁରି କହିଥିଲେ, ଆପଣ ଯେଉଁ ପୃଷ୍ଠଭୂମିରୁ ଆସିଛନ୍ତି ତାହାର ଉନ୍ନତି ସାଧନ ସର୍ବଦା ଆମ୍ବେଦକର ଦ୍ଵାରା ହୋଇଥିଲା। ତା’ ପରେ ବି ଆପଣ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀରେ ନିଜକୁ ସାମିଲ କରିଛନ୍ତି। କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ, ସଂରକ୍ଷଣ ବିରୋଧୀ, ଆମ୍ବେଦକର ବିରୋଧୀ। ଏ ନେଇ ସେମାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ଜରୁରିକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରକୁ କିପରି ଦଳିମକଚି ଦିଆଯାଇଥିଲା ତାହାର ବି କୌଣସି ଉତ୍ତର କଂଗ୍ରେସ ପାଖରେ ନାହିଁ ବୋଲି ଶାହ କହିଛନ୍ତି।

ଶାହ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେବା ବେଳେ କହିଥିଲେ ଯେ, ଆଜିକାଲି ଆମ୍ବେଦକର-ଆମ୍ବେଦକର କହିବା ଗୋଟିଏ ଫେସନରେ ପରିଣତ ହୋଇଗଲାଣି। ଶାହଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Leave A Reply

Your email address will not be published.