ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ପ୍ରସଙ୍ଗ: ବିଏମ୍‌ସି ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ପ୍ରସଙ୍ଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟିଟିଏସ୍‌ ଗସ୍ତ କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନାହିଁ। ଆଜି ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କାର୍ଯ୍ୟାଳୟ ଘେରାଉ କରିବା ସହ ଅଧିକାରୀଙ୍କୁ ଦାବିପତ୍ର ଦେଇଛି। ଯଦି ଆସନ୍ତା ମାସକ ମଧ୍ୟରେ ଅଳିଆଗଦା ସ୍ଥାନାନ୍ତର ନ ହୁଏ ତାହା ହେଲେ ବିଏମ୍‌ସିକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରି ଦିଆଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ, ଆଜକୁ ଠିକ୍‌ ମାସକ ତଳେ ଅଳିଆ ଗଦା ମୁଖ୍ୟ ପ୍ରବେଶ ପଥ ଅବରୋଧ କରାଯିବା ସହ ତୁରନ୍ତ ହଟାଇବାକୁ ବିଏମ୍‌ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ମନ୍ତ୍ରୀ ଶ୍ରୀ ମହାପାତ୍ର ଅଳିଆଗଦା ପରିଦର୍ଶନ ସମୟରେ ନାକରେ ହାତ ଦେଇ ବୁଲିଥିଲେ। ଲୋକଙ୍କ ଦୂରାବସ୍ଥା ଅନୁଧ୍ୟାନ କରିବା ସହ ଅଳିଆଗଦା ହଟାଯିବା ସମ୍ପର୍କରେ ନୂଆ ସ୍ୱପ୍ନ ମଧ୍ୟ ଦେଖାଇଥିଲେ। ମାତ୍ର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଲେ ନାହିଁ। କେବଳ ରାଜନୀତି କରିବାକୁ ସେ ସେଠାକୁ ଯାଇଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରତାରଣା କରିଛନ୍ତି। ଅଳିଆଗଦା ହଟାଇବା କଥା ସେ ପାଟିରେ ଧରୁନାହାନ୍ତି। ବିଜେଡ଼ି ସରକାର ସମୟରେ ଅଳିଆଗଦା ହଟାଇବା ଦାବିରେ ବିଜେପି ସେଠାରେ ଧାରଣା ଦେଇଥିଲା। ମାତ୍ର ସରକାରକୁ ଆସିବାର ୬ ମାସ ବିତିଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଉ ନାହିଁ। ଅର୍ଥାତ୍ ଧାରଣା କେବଳ ନାଟକବାଜି ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଅଳିଆଗଦା ପାଇଁ ଗାଡ଼କଣ, ଭିଏସ୍‌ଏସ୍ ନଗର, ସୈନିକ ସ୍କୁଲ୍‌, ପଟିଆ, ଚନ୍ଦ୍ରଶେଖରପୁର ସମେତ ଆଖପାଖ ଅଞ୍ଚଳର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଚର୍ମରୋଗ ବ୍ୟାପିବା ସହିତ ପରିବେଶ ମଧ୍ୟ ପ୍ରଦୂଷଣ ହେବା ସହିତ ଭୂତଳ ଜଳ ମଧ୍ୟ ଦୂଷିତ ହେଉଛି। ବର୍ଷା ଦିନେ ଏହାର ଦୂଷିତ ଜଳ ସହରର ଅନ୍ୟ ଅଞ୍ଚଳକୁ ମାଡ଼ିଯାଉଛି। ଅଳିଆଗଦା ନିକଟରେ ଆଦିବାସୀ ଲୋକମାନଙ୍କର ବସ୍ତି ମଧ୍ୟ ରହିଛି। ବସ୍ତିବାସିନ୍ଦାମାନେ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଥିବା ଛାତ୍ର କଂଗ୍ରେସ ସଦସ୍ୟମାନେ ଦୃଢ଼ ଦାବି କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍‌, ରଣଜିତ ପାତ୍ର, ବିଶ୍ୱଜିତ ଦାସ, ମନୋଜ ବିଶ୍ୱାଳ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରଶାନ୍ତ କୁମାର ଚମ୍ପତ୍ତି, ସୁନିଲ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.