ଜୀବନ ନେଉଛି ଗଳାବାଟ: ପଳାସୁଣି ଛକରେ ବିପଜ୍ଜନକଭାବେ ରାସ୍ତା ପାର
ପଳାସୁଣି ଛକରେ ଯମ ଯେମିତି ଜଗି ବସିଛନ୍ତି! ନିୟମିତ ବ୍ୟବଧାନରେ ଏଠାରେ ଦୁର୍ଘଟଣା ଘଟୁଛି। ରାସ୍ତା ପାର୍ ହେବା ବେଳେ ଗାଡ଼ି ଚକା ତଳେ କାହା ମୁଣ୍ଡ ଗଡ଼ୁଛି ତ କିଏ ପଙ୍ଗୁ ହୋଇଯାଉଛି।
ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ପଳାସୁଣି ଛକରେ ଯମ ଯେମିତି ଜଗି ବସିଛନ୍ତି! ନିୟମିତ ବ୍ୟବଧାନରେ ଏଠାରେ ଦୁର୍ଘଟଣା ଘଟୁଛି। ରାସ୍ତା ପାର୍ ହେବା ବେଳେ ଗାଡ଼ି ଚକା ତଳେ କାହା ମୁଣ୍ଡ ଗଡ଼ୁଛି ତ କିଏ ପଙ୍ଗୁ ହୋଇଯାଉଛି। ରାଜପଥ ବିଭାଗ ପରିସଂଖ୍ୟାନ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ଏଠାରେ ୧୦ରୁ ଅଧିକ ମୁଣ୍ଡ ଗଡ଼ିଥିବା ବେଳେ ୧୨୭ ଗୁରୁତର ଆହତ ହୋଇଛନ୍ତି। ରାସ୍ତା ପାରି ନ ହେବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ବ୍ୟାରିକେଡ୍ ଉଚ୍ଚା କରିଦେଇଛନ୍ତି। କିନ୍ତୁ ଲୋକ କେମିତି ରାସ୍ତା ପାର୍ ହେବେ ସେଥିପାଇଁ ବ୍ୟବସ୍ଥା କରିନାହିଁ। ବରଂ ଜୁଲାଇ ମାସରେ ଶିଳାନ୍ୟାସ ହୋଇଥିବା ଫୁଟ୍ ଓଭରବ୍ରିଜ୍ର ଏବେ ଫାଉଣ୍ଡେସନ କାମ ଚାଲିଛି। ଫଳରେ ଲୋକମାନେ ବାଧ୍ୟ ହୋଇ ଜୀବନକୁ ବିପନ୍ନ କରୁଛନ୍ତି। ବିପଜ୍ଜନକ ଭାବେ ରାସ୍ତାପାର ହେଉଛନ୍ତି। ଫଳରେ ଫୁଟ୍ ଓଭରବ୍ରିଜ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ମୁଣ୍ଡ ଗଡ଼ିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠିଛି।
ବଡ଼କଥା ହେଉଛି ଭୁବନେଶ୍ବରକୁ ଏହା ମୁଖ୍ୟ ପ୍ରବେଶ ପଥ ହୋଇଥିବାରୁ ଦୁର୍ଘଟଣା ହେଲେ ୨ ଘଣ୍ଟା ଧରି ଅଚଳାବସ୍ଥା ସୃଷ୍ଟି ହେଉଛି। ପୁରା ଭୁବନେଶ୍ବର ସହରର ଜନଜୀବନ ପ୍ରଭାବିତ ହେଉଛି। ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଅଫିସ୍ ଓ ସ୍କୁଲ୍ ଯାଉଥିବା ଗାଡ଼ି ରାସ୍ତାରେ ଛିଡ଼ା ହୋଇ ରହୁଛି। ଗତମାସରେ ରାସ୍ତା ପାର ହେଉଥିବା ବେଳେ ଜଣଙ୍କ ଉପରେ ଟ୍ରକ ଚଢ଼ିଯାଇଥିଲା। ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇଥିଲା। ମେଡିଆନ୍ ଉଚ୍ଚତା କମ୍ ଥିବାରୁ ଲୋକମାନେ ଏହାକୁ ଡେଇଁ ରାସ୍ତା ପାର ହେଉଥିଲେ। ଏଣୁ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଏନଏଚ୍ଏଆଇ ମେଡିଆନ୍ ଉଚ୍ଚତା ବଢ଼ାଇ ଦେଇଥିଲା। ରାସ୍ତା ପାର ହେବାକୁ ହେଲେ ଏଠାରୁ ୨୦୦ ମିଟର ମଞ୍ଚେଶ୍ବର ଅଣ୍ଡରପାସ୍ ଦେଇ ଯିବାକୁ ସଚେତନ କରିଥିଲା। ଅନେକ ସମୟରେ ବସ୍ରୁ ଓହ୍ଲାଇବା ପରେ ହାତରେ ବ୍ୟାଗ୍ ଓ ପିଲାଛୁଆ ଧରି ଶହେ ମିଟର ଚାଲି ରାସ୍ତା ପାର ହେବା କେହି ଚାହିଲେ ନାହିଁ। ବରଂ ଏନ୍ଏଚ୍ଏଆଇର ଉଚ୍ଚା ମେଡିଆନ୍ ଭାଙ୍ଗି ଘଳିଆ ତିଆରି କଲେ।
ମେଡିଆନ୍ ଉଚ୍ଚା ହେବା ପରେ ବି ସମାନ ସ୍ଥିତି
ଏପ୍ରିଲ ପୂର୍ବରୁ ସରିବ ଫୁଟ୍ ଓଭରବ୍ରିଜ୍: ଏନ୍ଏଚ୍ଏଆଇ
ପଳାସୁଣି ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ରସୁଲଗଡ଼, ମଞ୍ଚେଶ୍ୱର, ଚକେଇସିଆଣି, ଜିଜିପି କଲୋନି, ଭିଏସଏସ୍ନଗରର ହଜାର ହଜାର ଲୋକ ଓ ଛାତ୍ରଛାତ୍ରୀମାନେ ଏଭଳି ବିପଜ୍ଜନକ ଭାବରେ ଏଠାରେ ରାଜପଥ ପାର ହେଉଛନ୍ତି। ରାଜଧାନୀ ଭିତରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ୪ଟି ବ୍ଲାକ୍ସ୍ପଟ୍ ଚିହ୍ନଟ କରାଯାଇଛି। ସେଥିରେ ଏହି ପଳାସୁଣି ଛକ ସମେତ ସତ୍ସଙ୍ଗ ବିହାର, କ୍ରାଉନ୍ ହୋଟେଲ୍ ଛକ ଓ ପାତ୍ରପଡ଼ା ସ୍ମୃତିବନ ରହିଛି। ଏହି ସ୍ଥାନରେ ନିୟମିତ ଦୁର୍ଘଟଣା ଘଟି ଜୀବନ ଯାଉଛି। ଏହି ସବୁ ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରାୟ ୪ ବର୍ଷ ତଳେ ଘୋଷଣା ହୋଇଥିଲା। ଅନ୍ୟସ୍ଥାନରେ ଫୁଟ୍ ଓଭରବ୍ରିଜ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପଳାସୁଣିରେ ଫାଉଣ୍ଡେସନ କାମ ଚାଲିଛି। ଏହି ଫୁଟ୍ ଓଭରବ୍ରିଜ୍ ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ସରିବ ବୋଲି ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି।
ଏନେଇ ସମାଜସେବୀ ନାରାୟଣ ପୃଷ୍ଟି କହିଛନ୍ତି, ଦୀର୍ଘ କାଳ ଧରି ଆମେ ଫୁଟ୍ ଓଭରବ୍ରିଜ୍ ପାଇଁ ଦାବି କରିଆସୁଥିଲୁ। ବିକଳ୍ପ ବ୍ୟବସ୍ଥା ନଥିବାରୁ ବିପଜ୍ଜନକ ଭାବରେ ଲୋକମାନେ ରାସ୍ତା ପାର ହେଉଛନ୍ତି। ତା ଛଡ଼ା ରାସ୍ତା କଡ଼ରେ ବେଆଇନ ପାର୍କିଂ ଓ ଜବରଦଖଲ ବଢ଼ିଥିବାରୁ ରାସ୍ତା ସଙ୍କୁଚିତ ହେଉଛି ଓ ଦୁର୍ଘଟଣା ଘଟୁଛି। ଏଣୁ କେବଳ ଏନ୍ଏଚ୍ଏଆଇ ନୁହେଁ ବରଂ ବିଏମ୍ସି, ବିଡିଏ ଓ କମିସନରେଟ୍ ପୁଲିସ ମିଳିତ ଭାବେ ସମନ୍ବୟ ରକ୍ଷା କରି କାମ କଲେ ମୂଲ୍ୟବାନ ଜୀବନ ବଞ୍ଚିପାରିବ। ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାୟ କହିଛନ୍ତି, ‘‘ସଚେତନତା ସହ ମେଡିଆନ୍ର ଉଚ୍ଚତା ବଢ଼ାଯାଇଛି। କିନ୍ତୁ ଲୋକମାନେ ମାନୁ ନାହାନ୍ତି। ଫୁଟ୍ ଓଭରବ୍ରିଜ୍ର ଫାଉଣ୍ଡେସନ କାମ ଚାଲିଛି। ୨୦୨୫ ଏପ୍ରିଲ ପୂର୍ବରୁ ଏହାକୁ ସାରିବୁ। ସେ ପର୍ଯ୍ୟନ୍ତ ଜନସାଧାରଣ ସହଯୋଗ କରନ୍ତୁ। ଏଭଳି ରାସ୍ତା ପାରି ହୁଅନ୍ତୁ ନାହିଁ।’’