ଫାୟାରମ୍ୟାନ୍ ପଦ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗୃହରକ୍ଷୀଙ୍କୁ ମିଳିଲା ନ୍ୟାୟ, ସରକାର ଦାଖଲ କଲେ ସାନି ଚୟନ ତାଲିକା

କଟକ,୧୩-୧୧-୨୦୨୪(ପିପିଏସ) : ଫାୟରମ୍ୟାନ ପଦରେ ନିଯୁକ୍ତି ପ୍ରସଂଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ। ଏହି ପ୍ରସଂଗକୁ ନେଇ ଦାୟର ମାମଲା ଗୁଡ଼ିକର ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି ଯେ ଏକ ସାନି ଚୟନ ତାଲିକା ପ୍ରସ୍ତୁତ କରାଯାଇଛି। ଗୃହରକ୍ଷୀଙ୍କୁ ୧୦ ପ୍ରତିଶତ ପଦରେ ନିଯୁକ୍ତି ପ୍ରସଂଗରେ ରହିଥିବା ଅଭିଯୋଗ ସମାଧାନ କରାଯାଇ ସାନି ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଥିଲା।

ସାନି ବା ପୁଣିଥରେ ପ୍ରସ୍ତୁତ କରାଯାଇଥିବା ମେଧା ତାଲିକାକୁ ଏକ ମୁଦା ଲଫାପାରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟରେ ଦାଖଲ କରିଥିଲେ। ଆଡଭୋକେଟ ଜେନେରାଲ ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ ଦି ଗ୍ରୁପ୍-ସି ଅଫିସର୍‌ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କଡ଼ାକଡ଼ି ନିୟମ ପାଳନ କରାଯାଇ ସାନି ଚୟନ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଇଥିଲେ। ଆବେଦନକାରୀଙ୍କ ମଧ୍ୟରୁ ଅଧିକାଂଶ ଏହି ଚୟନ ତାଲିକାରେ ସ୍ଥାନ ପାଇଛନ୍ତି। ଗୃହରକ୍ଷୀ ବର୍ଗ ପାଇଁ ଚିହ୍ନିତ ୧୦ ପ୍ରତିଶତ ପଦ ପୂରଣ ପାଇଁ ନିୟମ ଅନୁସାରେ ପଦକ୍ଷେପ ନିଆଯାଇଛି ଓ ଅଧିକାଂଶ ଆବେଦନକାରୀଙ୍କ ଅଭିଯୋଗ ସମାଧାନ ହୋଇ ସାରିଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା।

ହାଇକୋର୍ଟ ଆବେଦନକାରୀ ଓ ସରକାରଙ୍କ ଯୁକ୍ତି ସହିତ ଦାଖଲ କରାଯାଇଥିବା ସାନି ଚୟନ ତାଲିକାକୁ ବିଚାରକୁ ନେଇ ମାମଲା ଗୁଡ଼ିକର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଦା ଲଫାପାରେ ଦାଖଲ ସଂଶୋଧିତ/ପୁଣିଥରେ ପ୍ରସ୍ତୁତ କରାଯାଇଥିବା ଚୟନ ତାଲିକାକୁ ଆଧାର କରି ଚୟନ ପ୍ରକ୍ରିୟାକୁ ଶେଷ କରିବା ସହିତ ପଦ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପୂର୍ବରୁ ଜାରି ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ହାଇକୋର୍ଟ କହିଛନ୍ତି। ଅଗ୍ନିଶମ ସେବା ଏକ ଜରୁରୀ ସେବା। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଜନସ୍ବାର୍ଥକୁ ହାନି ପହଞ୍ଚାଇବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।  

ମାମଲାର ବିବରଣୀରୁ ପ୍ରକାଶ ଯେ ୮୨୬ ଫାୟରମ୍ୟାନ ଓ ୧୧୫ଟି ଫାୟାର ଡ୍ରାଇଭର ପଦ ପୂରଣ ପାର୍ଇ ୨୦୨୩, ଅଗଷ୍ଟ ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବା କଥା। କିନ୍ତୁ ଚୟନ ତାଲିକାରେ ମାତ୍ର ୨୯ଜଣ ଗୃହରକ୍ଷୀ ସ୍ଥାନ ପାଇଥିଲେ। ୮୩ରୁ ୨୯ ପଦବି ଯିବା ପରେ ରହିଥିବା ଅବଶିଷ୍ଟ ୫୪ଟି ପଦବିରେ ଗୃହରକ୍ଷୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଆବେଦନକାରୀ ଦାବି କରିଥିଲେ। ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ପଦବିରେ ଅନ୍ୟ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ୨୦୨୧ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ କେତେକ ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ୨୦୨୪, ଜାନୁଆରି ୩୧ ଓ ଫେବ୍ରୁଆରି ୨ରେ ହାଇକୋର୍ଟ ଏହି ମାମଲା ଗୁଡ଼ିକର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ସେତେବେଳେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଦାନ କରାଯାଇଥିବା ନିଯୁକ୍ତି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରି ନଥିଲା।

ଏହାପରେ ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ରାଜୀବ ରଥ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.