ସାନଭାଇ ଭୁଲିଗଲା ସଂପର୍କ: ବଡ଼ଭାଇଙ୍କ ତଣ୍ଟି କାଟିଲା, ଭାଉଜଙ୍କୁ ପିଟିପିଟି ମାରିଲା
1 min read

ସାନଭାଇ ଭୁଲିଗଲା ସଂପର୍କ: ବଡ଼ଭାଇଙ୍କ ତଣ୍ଟି କାଟିଲା, ଭାଉଜଙ୍କୁ ପିଟିପିଟି ମାରିଲା

ସଂପତ୍ତି ପାଇଁ ସଂପର୍କରେ ଫାଟ ସୃଷ୍ଟି ହେଉଛି। ସଂପତ୍ତି ଆଗରେ ସଂପର୍କ ବଳି ପଡୁଛି। ଗଂଜାମ ଜିଲ୍ଲା ଆସିକା ଅଞ୍ଚଳରେ ଆଜି ପୂର୍ବାହ୍‌ଣରେ ସାନଭାଇର ଆକ୍ରମଣରେ ବଡ଼ଭାଇ ଓ ଭାଉଜଙ୍କର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଆସିକା/ଭୁବନେଶ୍ୱର ୧୩-୧୧-୨୦୨୪(ପିପିଏସ) : ଜମିବାଡ଼ିକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ସାନଭାଇ ରକ୍ତମୁଖା ହୋଇଛି। ବଡ଼ଭାଇ ଓ ଭାଉଜଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡା ଗ୍ରାମରେ ଘଟିଥିବା ଏହି ଘଟଣା ଆଜି ଦିନସାରା ଚର୍ଚ୍ଚା ହେଉଛି। ମୃତ ବ୍ୟକ୍ତି ହେଲେ ରାଜୁ ପାତ୍ର ଓ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ପାତ୍ର। ଅଭିଯୁକ୍ତମାନେ ହେଲେ ଭୋବନୀ ପାତ୍ର, ତାର ସ୍ତ୍ରୀ ରଂଜିତା ପାତ୍ର ଓ ପୁପୁନ ପାତ୍ର। ଆସିକା ଥାନା ପୁଲିସ କହିଛି, ଆଜି ପୂର୍ବାହ୍ନରେ ସମେଇଗୁଡା ଗ୍ରାମ ନିକଟ କନ୍ଧପଦର ଜମିରେ ଦୁଇ ଭାଇ ରାଜୁ ପାତ୍ର ଓ ଭୋବନୀ ମଧ୍ୟରେ ଜମିବାଡ଼ ଶତ୍ରୁତା କାରଣରୁ ଯୁକ୍ତିତର୍କ ହୋଇଥିଲା। ରାଜୁ ପାତ୍ରଙ୍କୁ ପୂର୍ବରୁ ଭୋବନୀ ପାତ୍ରର ପୁଅ ପୁପୁନ ବହୁବାର ହତ୍ୟା ଧମକ ଦେଇଥିଲା। ସେ ଆଜି ସକାଳୁ ମଧ୍ୟ ଚାଷ ଜମିରେ ବଚସା କରିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳକୁ ଜମିରେ ଅନ୍ୟ କେହି ନଥିବା ଦେଖି ରାଜୁ ପାତ୍ରଙ୍କୁ ସାନ ଭାଇ ଭୋବନୀ, ଭାଇବୋହୁ ରଞ୍ଜିତା ଓ ପୁତୁରା ପ୍ସପୁନ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅତି ନିଷ୍ଠୁରତାର ସହିତ ଛୁରୀ ଭୂସି ଥିଲେ ଓ ଗଳା କାଟି ଦେଇଥିଲେ। ସେହିସ୍ଥାନରେ ରାଜୁଙ୍କ ସ୍ତ୍ରୀ ଲଷ୍ମୀ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ତାଙ୍କୁ ମଧ୍ୟ ପିଟିପିଟି ପିଟି ଓ ବିଷ ପିଆଇ ଥିଲେ। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ନିଆଯାଇଥିଲା। ସେଠାରେ ଲକ୍ଷ୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଆସିକା ଥାନା ସମେଇଗୁଡା ଗ୍ରାମ ନିକଟ କନ୍ଧପଦରରେ ପୈତୃକ ସମ୍ପତ୍ତିରୁ ଭାଗରେ ପାଇଥିବା ଜମି ଓ ସାନଭାଇ କିଣି ଥିବା ଜମିର ହିଡ଼ରେ ଥିବା କଦଳୀ ଗଛ ଚାକୁଣ୍ଡା ଗଛ ଆଦିକୁ ନେଇ ବିବାଦ ଦେଖାଯାଇଛି। ସାନଭାଇ ପରିବାରର ଆକ୍ରମଣରେ ବଡ଼ଭାଇ-ଭାଉଜଙ୍କର ମୃତ୍ୟୁ ହୋଇଛି। 

ଏହି ହତ୍ୟାକାଣ୍ଡ ଘଟଣା ପରେ ରାଜୁ ପାତ୍ରଙ୍କ ପୁଅ ସନ୍ତୋଷ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ରାଜୁ ପାତ୍ର ଓ ଲଷ୍ମୀ ପାତ୍ରଙ୍କ ମୃତଦେହ ବ୍ରହ୍ମପୁର ଏଫ୍ଏମ୍ଟିରେ ବ୍ୟବଚ୍ଛେଦ କରାଯାଇଛି। ଆସିକା ଥାନାରେ ଏକ ହତ୍ୟା ମାମଲା ୭୩୮/୨୪ ରୁଜୁ ହୋଇଛି। ଏହି ମାମଲାରେ ଦୁଇ ଜଣକୁ ଅଟକ ରଖି ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍ପି  ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *