ଶୀତଳଭଣ୍ଡାର ଅଭାବ: ଅଭାବୀ ବିକ୍ରିର ଶିକାର ପରିବା ଚାଷୀ
ବଡ଼ବିଲ: ବୈତରଣୀ ନଦୀର ବାମପାର୍ଶ୍ୱ ଓ କୋଚିଳା ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ବ୍ୟାପକ ପରିମାଣରେ ପରିବା ଚାଷ ହେଉଛି। ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା, ଶୈଳ, ମଦାଦୁଲା, ନଦୀଗାଁ, ହସନାବାଦ ପଞ୍ଚାୟତର ପଙ୍କଟା, ପଣ୍ଡାସାହି, ନୂଆସାହି, ମଠସାହି, ଘାଟକୁଳ, ପାଳସାହି, ସାହୁସାହି, ଗଡ଼ଗଡ଼ି, କୁଳସାହି ଓ ଗାନ୍ଧୀଘାଟ ଆଦି ଗ୍ରାମର ଲୋକେ ଚାଷକୁ ଜୀବିକା ଭାବେ ଆପଣାଇଛନ୍ତି। ଏହି ଅଞ୍ଚଳରେ ୧୦ ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ପ୍ରାୟ ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ପରିବା ଚାଷ କରି ଭଲ ଉତ୍ପାଦନ କରୁଥିଲେ ମଧ୍ୟ ଶୀତଳଭଣ୍ଡାର ଅଭାବରୁ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବାବେଳେ ବ୍ୟବସାୟୀମାନେ ଅଧିକ ଲାଭ ପାଉଛନ୍ତି।
ବୈତରଣୀ ଓ କୋଚିଳା ନଦୀର ଜଳକୁ ବ୍ୟବହାର କରି ଚାଷୀମାନେ ବର୍ଷକର ବିଭିନ୍ନ ସମୟରେ ପରିବା, ବିରି, ମୁଗ ଓ ଧାନ ଚାଷ କରୁଛନ୍ତି। ଏହି ଅଞ୍ଚଳରେ ୨ରୁ ୩ ହଜାର ଏକରରୁ ଅଧିକ ଚାଷଜମି ରହିଥିବାବେଳେ ଉଠା ଜଳସେଚନ ବ୍ୟବସ୍ଥା ମଧ୍ୟ ରହିଛି। ବାଲିପାଟଣା, ତିନିଘରିଆ, ପଙ୍କଟା, ପଣ୍ଡାସାହି, ଗଡ଼ଗଡ଼ି, କୁଳସାହି ଓ ଗାନ୍ଧୀଘାଟ ଆଦି ଗ୍ରାମରେ ଏକର ଏକର ଜମିରେ ପରିବା ଚାଷ ହେଉଛି। କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ୍ ଦାମ୍ରେ ବ୍ୟବସାୟୀଙ୍କୁ ଉତ୍ପାଦ ବିକ୍ରି କରୁଛନ୍ତି। ଏପରିକି ଚାଷୀମାନେ ନିଜ ଗାଡ଼ି ଭଡ଼ା କରି ଯାଜପୁର, ଭଦ୍ରକ ଆଦି ଅଞ୍ଚଳକୁ ପରିବା ନେଇ ବିକ୍ରି କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି।
ଏହି ଅଞ୍ଚଳରେ ଶୀତଳଭଣ୍ଡାର ସ୍ଥାପନ ହେଲେ ଟମାଟୋ ସସ୍, ଆଳୁ ଚିପ୍ସ ଭଳି କୃଷିଭିତ୍ତିକ କ୍ଷୁଦ୍ର ଶିଳ୍ପ ଗଢ଼ିଉଠିବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଚାଷୀମାନେ ଆଶା ରଖିଛନ୍ତି। ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ବୈତରଣୀ ଓ କୋଚିଳା ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକ ପରିବା ଚାଷ ପାଇଁ ଉପଯୁକ୍ତ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଜାତୀୟ ଉଦ୍ୟାନ ଓ ସମନ୍ୱିତ କୃଷି ବିକାଶ ଯୋଜନା ମାଧ୍ୟମରେ ଶୀତଳଭଣ୍ଡାର ପାଇଁ ସହାୟତା ଯୋଗାଇ ଦିଆଯାଉଛି। ବିଭିନ୍ନ ସଭାସମିତିରେ ଚାଷୀଙ୍କୁ ଏନେଇ ସଚେତନ ମଧ୍ୟ କରାଯାଇଛି। ତେବେ ନିଜସ୍ୱ ଅର୍ଥରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଚାଷୀଙ୍କ ଆଗ୍ରହ କମ୍ ଥିବା ଜଣାପଡ଼ିଛି। ଚାଷୀମାନେ ଆଗ୍ରହ ପ୍ରକାଶ କଲେ ସରକାରୀ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
