ବାଗୁଡ଼ି ପାହାଡ଼ରୁ ମାସକୁ ୬ କୋଟିର ପଥର ଲୁଟ୍‌
1 min read

ବାଗୁଡ଼ି ପାହାଡ଼ରୁ ମାସକୁ ୬ କୋଟିର ପଥର ଲୁଟ୍‌

ବାଗୁଡ଼ି: ବାଲେଶ୍ୱର ଜିଲ୍ଲାର ବାଗୁଡ଼ି ପାହାଡ଼ରୁ ଖୁଲମଖୁଲା ପଥର ଲୁଟ୍‌ ଚାଲିଛି। ପଥର ମାଫିଆ ସକ୍ରିୟ ଥିବାବେଳେ ଖଣି ବିଭାଗ ନିଷ୍କ୍ରିୟ ଥିବା ଅଭିଯୋଗ ହେଉଛି। ପାହାଡ଼କୁ ଯାଇଥିବା ରାସ୍ତାରେ ପୁଲିସ କ୍ୟାମ୍ପ ଥିଲେ ମଧ୍ୟ ଏହା ପ୍ରହସନ ପାଲଟିଛି। ଫଳରେ ଏଠାରୁ ମାସକୁ ପ୍ରାୟ ୬ କୋଟି ଟଙ୍କାର ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ରହିଛି।

ସୂଚନା ଅନୁଯାୟୀ, ବାଗୁଡ଼ି ପାହାଡ଼ରେ ୬୨ଟି ପଥର ଖାଦାନ ରହିଛି। ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ଆଇନଗତ କାରଣରୁ ଏହି ଖାଦାନଗୁଡ଼ିକୁ ନିଲାମ ଦିଆଯାଇନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆମାନେ ପ୍ରତିଦିନ ପ୍ରାୟ ୬୦୦ ଟ୍ରିପ୍‌ ପଥର ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ପ୍ରତି ଟ୍ରିପ୍‌ ପଥରର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହିସାବରେ ଏହି କାରବାରର ପରିମାଣ ମାସକୁ ପ୍ରାୟ ୬ କୋଟି ଟଙ୍କା ହେଉଛି। ଏହାଦ୍ୱାରା ସରକାର ବିପୁଳ ରାଜସ୍ୱ ହରାଉଥିବା ଅଭିଯୋଗ ହୋଇଛି।

ଖଣି ବିଭାଗର କେତେକ କର୍ମଚାରୀଙ୍କୁ ମାଫିଆମାନେ ହାତ କରି ଏହି କାରବାର ଚଳାଇଥିବା ମଧ୍ୟ ଅଭିଯୋଗ ରହିଛି। ପଥର ଚୋରା ଚାଲାଣ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଚଢ଼ଉ କରୁନଥିବା କୁହାଯାଉଛି। ପଚାରିଲେ କର୍ମଚାରୀ ଅଭାବ ଥିବା ଦର୍ଶାଇ ଦାୟିତ୍ୱ ଏଡ଼ାଇ ଦିଆଯାଉଛି।

ଗତ ଡିସେମ୍ବର ୨ ତାରିଖରେ ବାଲେଶ୍ୱର ଜିଲ୍ଲାପାଳ ବାଗୁଡ଼ି ପାହାଡ଼ ପରିଦର୍ଶନ କରିବା ସହ ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରିଥିଲେ। ପାହାଡ଼କୁ ଯାଇଥିବା ମୁଖ୍ୟ ରାସ୍ତାରେ ଏକ ପୁଲିସ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଥିଲା। ତଥାପି ଚୋରା କାରବାର ଉପରେ ଏହାର କୌଣସି ବିଶେଷ ପ୍ରଭାବ ପଡ଼ିନଥିବା ଅଭିଯୋଗ ହେଉଛି। କ୍ୟାମ୍ପ ଥିବା ରାସ୍ତାକୁ ଛାଡ଼ି ଅନ୍ୟ ରାସ୍ତାରେ ଟ୍ରକ୍‌ ଓ ଡମ୍ପର ଯୋଗେ ପଥର ଚାଲାଣ ଚାଲିଛି।

ଏ ସମ୍ପର୍କରେ ବାଲେଶ୍ୱର ଖଣି ଅଧିକାରୀ ସନ୍ତୋଷୀପ୍ରଭା ଶେଠୀଙ୍କ ସହ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର କହିଛନ୍ତି ଯେ ବାଗୁଡ଼ି ପାହାଡ଼କୁ ଯିବା ପାଇଁ ଏକାଧିକ ରାସ୍ତା ରହିଛି। ପୁଲିସ ପଥର ଚାଲାଣ ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *