ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଭାରତ
ନୂଆଦିଲ୍ଲୀ : ଲଦାଖ ପ୍ରସଙ୍ଗରେ ଚାଇନାକୁ କାଉଣ୍ଟର କଲା ଭାରତ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ନୂଆଦିଲ୍ଲୀ। ଭାରତ ସରକାର ଲଦାଖର ୨୮ଟି ରଣନୀତିକ ସ୍ଥଳ ଓ ଭୌଗଳିକ ବିଶେଷତ୍ୱକୁ ଅଧିକୃତ ମାନଚିତ୍ରରେ ସ୍ଥାନିତ କରିଥିବାରୁ ଏହା ବିରୋଧରେ ସ୍ୱର ଉଠାଇଥିଲା ଚାଇନା। ଏହାର ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି। ସରକାର ଲଦାଖ ପ୍ରଶାସନ ସହ ଆଲୋଚନା କରି ୨୮ଟି ସ୍ଥାନକୁ ସେଗୁଡ଼ିକ ବିଶେଷତ୍ୱ ଅନୁସାରେ ନାମିତ କରିଛନ୍ତି। ଏହାଦ୍ୱାରା ସେଗୁଡ଼ିକ ଭାରତୀୟ ସର୍ବେକ୍ଷଣ ବିଭାଗର ଅଧିକୃତ ମାନଚିତ୍ରରେ ସାମିଲ ହୋଇପାରିବ।
ଏବେ ଲଦାଖର ସେହି ସବୁ ସ୍ଥାନ ଗୁଡ଼ିକ ଭାରତୀୟ ସର୍ବେକ୍ଷଣ ମାନଚିତ୍ରରେ ରହିଛି। ଏହାଦ୍ୱାରା ଲୋକମାନେ ସେହି ସ୍ଥାନଗୁଡ଼ିକର ବିଶେଷତ୍ୱକୁ ଭଲ ଭାବେ ବୁଝି ପାରିବେ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତର ଗୋଟିଏ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। ଚାଇନିଜ ପକ୍ଷ ଏହାକୁ ଯେତେ ଅଗ୍ରାହ୍ୟ କଲେ ମଧ୍ୟ ପ୍ରକୃତ ସ୍ଥିତି ଓ ତଥ୍ୟ କେବେ ହେଲେ ବି ବଦଳିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଭାରତ ସରକାର ଲଦାଖର ୨୮ଟି ସ୍ଥାନକୁ ଚିହ୍ନଟ କରିବା ପରେ ଚାଇନା କଡ଼ା ଆପତ୍ତି ଦର୍ଶାଇଥିଲା। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଗ୍ଲୋବାଲ ଟାଇମ୍ସକୁ ଭାରତର ଲଦାଖକୁ ନିଜର ବୋଲି କହିଥିଲେ। ଏଥିସହ ଭାରତର ପଦକ୍ଷେପକୁ ବେଆଇନ ଦର୍ଶାଇଥିଲେ। ସେ କହିଥିଲେ, “ଚାଇନା କେବେ ହେଲେ ବି ଭାରତ ସରକାର ଏକତରଫା ଓ ବେଆଇନ ଭାବେ ତଥାକଥିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ଦେଇଥିବା ମାନ୍ୟତାକୁ ଅନୁମତି ଦେଇ ନାହିଁ। ଏହା ଭାରତର ପଶ୍ଚିମ ପ୍ରାନ୍ତରେ ଥିବା ସ୍ଥାନ ସବୁବେଳେ ଚାଇନାର। କୌଣସି ବେଆଇନ ଓ ଅବୈଧ ପଦକ୍ଷେପ ପ୍ରକୃତ ତଥ୍ୟକୁ ବଦଳାଇ ପାରିବ ନାହିଁ।” ଲଦାଖର ୨୮ଟି ସ୍ଥାନକୁ ଭାରତୀୟ ସର୍ବେକ୍ଷଣ ମାନଚିତ୍ରରେ ସ୍ଥାନ ଦେଇ ଭାରତ ସରକାର ସେଗୁଡ଼ିକୁ ନେଇ ଲାଗି ରହିଥିବା ପ୍ରଶାସିନକ ଦ୍ୱନ୍ଦ୍ୱ ଓ ସ୍ୱଚ୍ଛତାରେ ଏକ ସ୍ପଷ୍ଟତା ଆଣିଥିଲେ। ଚାଇନା କରୁଥିବା ଦାବି ମଧ୍ୟ ଏହି ପଦକ୍ଷେ ଦ୍ୱାରା ଫସର ଫାଟିଥିଲା।

