ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି
ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ
ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ ଯାଇ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ। ସାଧାରଣତଃ ଏଥିପାଇଁ ଅଲଗା ଶୁଣାଣିର ଆବଶ୍ୟକତା ରହିବ ନାହିଁ। ଏହାସହ ଶ୍ରମିକ, ଗରିବ ଓ ବାସହୀନ ଲୋକଙ୍କ ସହାୟତା ପାଇଁ ଆବଶ୍ୟକ ସ୍ଥାନରେ ରାତ୍ରି ଆଶ୍ରୟସ୍ଥଳ ଓ ସହାୟତା ଡେସ୍କ ସ୍ଥାପନ କରିବାକୁ DEOମାନଙ୍କୁ କୁହାଯାଇଛି। ଫର୍ମ-୬ ସହ ଘୋଷଣା ଫର୍ମ ସମ୍ପର୍କରେ କମିଶନ କହିଛି ଯେ ଏସଆଇଆର ପ୍ରକ୍ରିୟାରେ ଏହାର ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସେହିପରି ECINETର ସମୀକ୍ଷା ପାଇଁ ଜଣେ ବରିଷ୍ଠ DEC ଓ ଜଣେ ସ୍ୱାଧୀନ IIT/IIM ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯିବ।ଦିଲ୍ଲୀରେ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅକ୍ଟୋବର ୩୦ ଏବଂ ମହାରାଷ୍ଟ୍ରରେ ଅକ୍ଟୋବର ୧୨ ରଖାଯାଇଛି। ଏଣିକି କମିଶନର ସମସ୍ତ ବୈଠକର ଏଜେଣ୍ଡା ପୂର୍ବରୁ ପଠାଯିବା ସହ ବୈଠକର ବିବରଣୀ ପ୍ରକାଶ କରାଯିବ ବୋଲି କୁହାଯାଇଛି।ଅନ୍ୟପକ୍ଷରେ, ବିହାର ଓ ପଶ୍ଚିମବଙ୍ଗ ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ପ୍ରକ୍ରିୟା ଶେଷ ହୋଇଥିବା କମିଶନ କହିଛି। ଏସଆଇଆର ସମୟରେ କିମ୍ବା ପରେ ଭୋଟର ତାଲିକାରୁ ନାମ ବାଦ ପଡ଼ିଥିବା ବ୍ୟକ୍ତି, ଯୁବ ଭୋଟର ଓ ପ୍ରଥମ ଥର ଭୋଟରମାନେ ନିରନ୍ତର ଅପଡେଟ୍ ପ୍ରକ୍ରିୟାରେ ସମ୍ପୃକ୍ତ EROଙ୍କ ନିକଟରେ ଆବେଦନ କରି ନାମ ସାମିଲ କରିପାରିବେ। ଏଥିପାଇଁ CEO, DEO ଓ EROମାନଙ୍କୁ ବିଶେଷ ଅଭିଯାନ ଆରମ୍ଭ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛି। ନିଖୋଜ ଭୋଟରଙ୍କ ନାମ ପୁନଃ ପଞ୍ଜୀକରଣ ଏବଂ ନୂଆ ଭୋଟରଙ୍କ ନାମ ଯୋଡ଼ିବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯିବ। କ୍ୟାବିନେଟ ସଚିବଙ୍କୁ ଲେଖାଯାଇଥିବା ଚିଠି ପ୍ରସଙ୍ଗରେ ECI କହିଛି ଯେ ଏହା IT ନୀତି ସମ୍ପର୍କିତ ନୁହେଁ, ବରଂ ଡେପୁଟେସନରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟ ସହ ଜଡ଼ିତ। ଦେଶବ୍ୟାପୀ ଏସଆଇଆର ସମ୍ପର୍କିତ କମିଶନର ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିକ୍ରମେ ନିଆଯାଇଥିବା ମଧ୍ୟ କମିଶନ ସ୍ପଷ୍ଟ କରିଛି।ସେହିପରି ଗୋଆରେ ବିଏଲଓମାନେ ଘରକୁ ଯାଇ ବାଦ୍ ପଡ଼ିଥିବା ଭୋଟରଙ୍କୁ ଫର୍ମ-୬ ପୂରଣ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ନେଇ ମଧ୍ୟ ଆଲୋଚନା ହୋଇଛି। ସେପ୍ଟେମ୍ବର ୨୬ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ କମିଶନଙ୍କ ପୂର୍ଣ୍ଣ ଅନୁମୋଦନ ପରେ ଏହି ବିବୃତ୍ତି ଜାରି କରାଯାଇଥିବା ECI ପକ୍ଷରୁ କୁହାଯାଇଛି।

