ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରିବ ବେଦାନ୍ତ
ଭୁବନେଶ୍ବର: ପଶ୍ଚିମଓଡ଼ିଶାରେ ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ବେଦାନ୍ତ ଗ୍ରୁପ୍ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଯେଉଁଠି କହିବେ ସେଠାରେ ଏହି ହସ୍ପିଟାଲ ନିର୍ମାଣ କରାଯିବ ବୋଲି ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, କମ୍ପାନୀର ଝାରସୁଗୁଡ଼ା ସ୍ମେଲଟର ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ୫୦୦ଏକର ଜମି ଯୋଗାଇ ଦେଇସାରିଛନ୍ତି। ରାଜ୍ୟରେ କମ୍ପାନୀ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି ଓ ସରକାରଙ୍କ ସହଯୋଗ ଜାରି ରହିେଲେ ଆସନ୍ତା ଅଢ଼େଇରୁ ୩ବର୍ଷ ମଧ୍ୟରେ ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବେଦାନ୍ତ ଟିମର ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନୀଲ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି ଯେ,ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ୧୦୦୦ ବେଡ୍ ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ପାଇଁ ରାଜ୍ୟ ସରକାର ଯେଉଁ ସ୍ଥାନରେ ଜମି ଯୋଗାଇଦେବେ, ସେଠାରେ ହିଁ ଏହା ନିର୍ମାଣ କରାଯିବ। ବିଶେଷକରି ଅବହେଳିତ ତଥା ଆଦିବାସୀ ବହୁଳ ଅଂଚଳର ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା, କର୍କଟ ଭଳି ଦୂରାରୋଗ୍ୟ ବ୍ୟାଧିର ଔଷଧ ସମ୍ପର୍କିତ ଗବେଷଣା ଲାଗି ରିସର୍ଚ୍ଚ ସେଣ୍ଟର ଓ ଏକ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଏହି ମେଗା ହସ୍ପିଟାଲ ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ। ବେଦାନ୍ତର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଅଗ୍ରୱାଲ କହିଥିଲେ ଯେ, ଝାରସୁଗୁଡ଼ା ପାୱାର ପ୍ଲାଣ୍ଟ ନିକଟରେ ବାର୍ଷିକ ୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ନୂତନ ସ୍ମେଲଟର ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ବୃହତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଛନ୍ତି। କେବଳ ଝାରସୁଗୁଡ଼ା ସମ୍ପ୍ରସାରଣରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅତିକମରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ କଂଚାମାଲ ବକ୍ସାଇଟର ନିରବଚ୍ଛିନ୍ନ ଯୋଗାଣ ଅପରିହାର୍ଯ୍ୟ ହୋଇଥିବାରୁ, ସିଜିମାଳି ଓ କର୍ଲାପାଟ ଖଣିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଝାରସୁଗୁଡ଼ା ପ୍ଲାଣ୍ଟର ସମ୍ପ୍ରସାରଣ ହେଉଥିବାରୁ ବକ୍ସାଇଟର ନିତାନ୍ତ ଆବଶ୍ୟକତା ରହିଛି। ସରକାରଙ୍କ ଏହି ସହଯୋଗ ଜାରି ରହିଲେ କାମ ବହୁତ ଶୀଘ୍ର ଆଗକୁ ବଢ଼ିବ ଓ ଜମି ଆବଣ୍ଟନ ତଥା ସରକାରୀ ମଞ୍ଜୁରୀର ଗତି ଉପରେ ହିଁ ପ୍ରକଳ୍ପ ଶେଷ ହେବା ନିର୍ଭର କରୁଛି। ସରକାରୀ ସହଯୋଗ ମିଳିଲେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ରାଜ୍ୟରେ ଆଲୁମିନିୟମ ଭିତ୍ତିକ ଡାଉନଷ୍ଟ୍ରିମ ଶିଳ୍ପକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଅଟୋମୋବାଇଲ, ବିମାନ ଚଳାଚଳ, ରେଳବାଇ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶହ ଶହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ବେଦାନ୍ତ ଶସ୍ତା ବିଦ୍ୟୁତ୍ ଓ କଂଚା ଆଲୁମିନିୟମ ଯୋଗାଇ ଦେବ। ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତିକୁ ଏଥିରେ ସର୍ବାଧିକ ପ୍ରାଥମିକତା ଦିଆଯିବ ଓ ଏହି ମେଗା ପ୍ରକଳ୍ପ ରାଜ୍ୟର ଶିଳ୍ପାୟନ ସହିତ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକ ନୂଆ ଦିଗ ଦେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବେଦାନ୍ତର ଏହି ମେଗା ପ୍ରକଳ୍ପ ଅଧୀନରେ ଢେଙ୍କାନାଳରେ ବାର୍ଷିକ ୩୦ଲକ୍ଷ ଟନ୍ କ୍ଷମତାର ଆଲୁମିନିୟମ୍ ସ୍ମେଲ୍ଟର ଏବଂ ରାୟଗଡ଼ାରେ ୬୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ଯୋଜନା ରହିଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବେଦାନ୍ତର ମୋଟ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବାର୍ଷିକ ୬ ନିୟୁତ ଟନ୍କୁ ବୃଦ୍ଧି ପାଇବ। ସମଗ୍ର ୧ଲକ୍ଷ କୋଟି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବା ସହ ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ। ଏଠାରୁ ଉତ୍ପାଦିତ ଆଲୁମିନିୟମ୍ ନବୀକରଣଯୋଗ୍ୟ ଶକ୍ତି, ଇଲେକ୍ଟ୍ରିକ୍ ଯାନ, ବିମାନ ଚଳାଚଳ ଏବଂ ଏଆଇ ଡାଟା ସେଣ୍ଟର ଭଳି ଭବିଷ୍ୟତର ଉଦୀୟମାନ କ୍ଷେତ୍ରଗୁଡ଼ିକର ଚାହିଦା ମେଣ୍ଟାଇବ। ଏଥିସହ ରାଜ୍ୟରେ ଆଲୁମିନିୟମ୍ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ଘଟିଲେ ହଜାର ହଜାର ଏମଏସଏମଇ ଓ ଯୋଗାଣକାରୀ ସଂସ୍ଥା ଉପକୃତ ହେବେ।

