ବୁଡିଲା କିଆରୀ, କାନ୍ଦୁଛି ଚାଷୀ
ଅସ୍ତରଙ୍ଗ :- ଚାରି ମାସର ଝାଳବୁହା ପରିଶ୍ରମ ଆଖି ଆଗରେ ପାଣିରେ ଭାସୁଛି। କିଆରୀ ମୁଣ୍ଡରେ ବସି ମୁଣ୍ଡରେ ହାତ ଦେଇ କାନ୍ଦୁଛି ଅନ୍ନଦାତା। ଏ କରୁଣ ଦୃଶ୍ୟ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଓଥକା, କଣ୍ଟାପଡା, ସୁଦିକେଶ୍ୱର, ବେଗୁନିଆବସ୍ତ, କେନ୍ଦ୍ରାପଟି, ଶିଶୁଅର। ଯେଉଁଠି ଗର୍ଭଣୀ ଧାନ ଉପରେ ଏକା ସଙ୍ଗେ ଦୁଇ ଦଫା ମାଡ – ତଳେ ଆଣ୍ଠୁଏ ପାଣି, ଉପରେ ମାରାତ୍ମକ ପୋକ। ଆଉ ସବୁଠୁ ବଡ ଦୁଃଖ – ଏ ବିପଦ ବେଳେ କୃଷି ବାବୁ ଫିଲ୍ଡରେ ନାହାନ୍ତି, ରିହାତି ଔଷଧ ବନ୍ଦ।ଲଘୁଚାପ ଜନିତ ଗତ ୩ ଦିନର ଲଗାଣ ବର୍ଷାରେ ଦୁଇ ବ୍ଲକର ୧ ହଜାର ଏକରରୁ ଅଧିକ ଜମି ଜଳମଗ୍ନ। ସବୁ ଜମିରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି। ଧାନ ଏବେ ସବୁଠୁ ସମ୍ବେଦନଶୀଳ ଗର୍ଭଣୀ ଅବସ୍ଥାରେ – କେଣ୍ଡା ବାହାରିବାର ଠିକ୍ ୧୦ ଦିନ ପୂର୍ବରୁ। ଏହି ସମୟରେ ପାଣି ଜମିଲେ ଗଛ ମୂଳ ସଢିଯାଏ, କେଣ୍ଡା ଭିତରେ ମରି ଧଳା ପଡିଯାଏ। ପାଣି ବାହାରିବାକୁ ନାଳ ନାହିଁ, ପମ୍ପ ନାହିଁ। ଚାଷୀ ପାଗଳ ପରି କିଆରୀ ଚାରି ପଟେ ଘୁରୁଛି।ପାଣି ପୂର୍ବରୁ ଗତ ୧୫ ଦିନ ହେଲା ଧାନରେ ଲାଗିଛି ମହା ପୋକ। ୩ ପ୍ରକାର ପୋକ ଏକା ସଙ୍ଗେ ଆକ୍ରମଣ କରିଛି।


ପତ୍ରକୁ ମୋଡି ଭିତରେ ରହି ସବୁଜ ଅଂଶ ଖାଇ ପତ୍ରକୁ ଧଳା କରି ଦେଉଛି।କାଣ୍ଡ ଭିତରେ ପଶି କେଣ୍ଡାକୁ କାଟି ଦେଉଛି, ଫଳରେ ଗଛ ଉପରୁ ଶୁଖି ମରି ଯାଉଛି।ଗୋଛା ପିଛା ୧୦-୧୫ଟି ଗୁଣ୍ଡି ରସ ଶୋଷି ଗଛକୁ ଦୁର୍ବଳ କରୁଛି।ପୂର୍ବରୁ କୃଷି ଅଫିସରୁ ୫୦% ରିହାତିରେ ଔଷଧ ମିଳୁଥିଲା, ଏବେ ବନ୍ଦ। ବଜାରରୁ ଏକର ପିଛା ୨ ହଜାର ଟଙ୍କାର ବିଷ କିଣିବାକୁ ପଡୁଛି। ଦୁଇ ଥର ମାରିଲେ ୪ ହଜାର ସରୁଛି, ବର୍ଷାରେ ଧୋଇ ଯାଉଛି। ନକଲି ଔଷଧ ବିକ୍ରି ଚାଲିଛି।ବେଗୁନିଆବସ୍ତର ଅଭୟ ସେଠୀଙ୍କ କୋହ – “ମୁଁ ଦୁଇ ଏକରରେ ସ୍ୱର୍ଣ୍ଣ ଲଗାଇଛି। ବ୍ୟାଙ୍କରୁ ୩୦ ହଜାର ଋଣ। ୧୫ ଦିନ ହେଲା ପୋକ ଲାଗିଛି। ଧାର କରି ଦୁଇ ଥର ବିଷ ମାରିଲି, ୪ ହଜାର ଗଲା। ଏବେ ଆଣ୍ଠୁଏ ପାଣିରେ ସବୁ ବୁଡିଲା। କୃଷି ବାବୁ ଫିଲ୍ଡକୁ ଆସୁ ନାହାନ୍ତି। କେଉଁ ବିଷ ମାରିବୁ କେହି କହିବାକୁ ନାହିଁ। ଏମିତି ହେଲେ ଋଣ ଶୁଝିବୁ କେମିତି? ଆତ୍ମହତ୍ୟା ଛଡା ବାଟ ନାହିଁ।”
ନଈଗୁଆଁର ମାଧବ ବରାଳଙ୍କ ଆକ୍ରୋଶ – “ତିନି ଏକର ପୁରା ବୁଡିଛି। ମରୁଡି ହୋଇ ଧାନ ଧଳା ପଡିଲାଣି। ଗୁଣ୍ଡି ପୋକ ଗଦା। ପୂର୍ବରୁ ବ୍ଲକରୁ ଔଷଧ ମିଳୁଥିଲା, ଏବେ ନାହିଁ। ଅଧିକାରୀଙ୍କୁ ଫୋନ୍ କଲେ ଉଠାଉ ନାହାନ୍ତି। ତୁରନ୍ତ ପମ୍ପ ଲଗାଇ ପାଣି ବାହାର କରି ରିହାତି ଔଷଧ ନ ଦେଲେ ଏ ବର୍ଷ ଚାଷୀ ଶେଷ।”ଚାଷୀଙ୍କ ଏକମାତ୍ର ଦାବି – ଆଜି ହିଁ କୃଷି ବିଭାଗ ଫିଲ୍ଡକୁ ଆସୁ, ପାଣି ନିଷ୍କାସନ ପାଇଁ ପମ୍ପ ଓ ରିହାତି ଔଷଧ ଯୋଗାଇ ଦିଆଯାଉ, କ୍ଷତିପୂରଣ ଆକଳନ ହେଉ।
