1 min read

ଲଗାଣ ବର୍ଷାରେ ଧାମନଗର ଅଞ୍ଚଳରେ ବନ୍ୟା

ଧାମନଗର : ଗତ ଚାରି ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ବିଭିନ୍ନ ଛୋଟ ବଡ଼ ନଦୀରେ ବନ୍ୟା ଆସି ଧାମନଗର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଯାତାୟାତ ରେ ବାଧାପ୍ରାପ୍ତ ହୋଇଛି। ବୈତରଣୀ , କୋଚିଳା, ଗେଙ୍ଗୁଟି, ରେବ, କପାଳୀ ଓ ଯ ନଦୀ ଆଦି ନଦୀରେ ପ୍ରବଳ ବର୍ଷା ଜଳ ଆସିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ବନ୍ୟା ଜଳ ବୃଦ୍ଧି ପାଇ ଆଖୁଆପଦାଠାରେ ତାହା ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇ ଧାମନଗର ପ୍ରତି ବିପଦ ସୃଷ୍ଟି କରିଛି। ବନ୍ୟାରେ ବୈତରଣୀ କୋଚିଳା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳର ଥିବା ହସନାବାଦ, ଅର୍ଜୁନପୁର, ପଧାନି, ଦଳାଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।ଗୌରାଙ୍ଗପୁର ଏସ୍କେପରେ ବନ୍ୟାଜଳ ବାହାରି ବ୍ଲକର ତଳିଆ ଅଞ୍ଚଳକୁ ଜଳମଗ୍ନ କରିଛି। ସେହିପରି କପାଳୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ଵାରା କାସିମ୍ ପୁର, ଅସୁରାଳି, ଫତେପୁର, କଟସାହି, ଆଦି ଅଞ୍ଚଳର ଗାଁ ଗଣ୍ଡା ରେ ବନ୍ୟା ଜଳ ପ୍ରବେଶ କରି ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଅନ୍ୟପଟେ ରେବନଦୀର ବନ୍ୟା ଜଳ ପ୍ରବେଶ ହେବା ଦ୍ଵାରା ଇଛଦା, ବ୍ରହ୍ମପୁର, ସୂତାର ସାହି, ପଳିକିରି, ମେଳନଡିହ ଏବଂ ଚୁଡ଼ାକୁଟି ପଞ୍ଚାୟତର ସୋରିଷଡିହି ଠାରୁ ମାଙ୍କିଡିଆ ଓ ଦଇପୁର ପଞ୍ଚାୟତର ତାଳସିଠା ଠାରୁ କୁସୁମା ପର୍ଯ୍ୟନ୍ତ ଆଦି ଅଞ୍ଚଳର ବିଭିନ୍ନ ଗ୍ରାମ ରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ଵାରା ଲୋକେ ଘରୁ ବାହାରି ନପାରି, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି, ଦଇପୁର ପଞ୍ଚାୟତର ତାଳସିଠା ଗ୍ରାମ ର ବିପିନ ନାୟକଙ୍କ ଘରେ ହଠାତ୍ ପାଣି ପଶିଯିବାରୁ ସମସ୍ତ ଆସବାବପତ୍ର ସହ କଚ୍ଚା ଘର ଓ ଗୁହାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏପରିକି ବିଭିନ୍ନ ରାସ୍ତା ଘାଟ, ବିଦ୍ୟାଳୟରେ ମଧ୍ୟ ପାଣି ପଶି ଅସ୍ତବ୍ୟସ୍ତ କରିପକାଇଛି। ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଭଦ୍ରକ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳର ସରକାରୀ ବିଦ୍ୟାଳୟ କୁ ଶନିବାର ଛୁଟି ଘୋଷଣା କରିଥିଲେ। ଧାମନଗର ଏନ ଏ ସି ଅଞ୍ଚଳ ଜଳମଗ୍ନ ହେବା ସହ ତଳିଆ ୫ନମ୍ବର, ୯ନମ୍ବର ଏବଂ ୧୦ନମ୍ବର ୱାର୍ଡ଼ର ବିଭିନ୍ନ ଗ୍ରାମ ସମେତ ହବିବି ନଗର ଗ୍ରାମରେ ବନ୍ୟା ପାଣି ପଶିଛି। ବିଭିନ୍ନ ୱାର୍ଡ଼ ର ରାସ୍ତ ବୁଡ଼ି ସ୍ରୋତ ଚାଲୁଥିବାରୁ ଗମନା ଗମନ ସମସ୍ୟା ଲାଗି ରହିଛି।ସେହିପରି ବ୍ଲକ ବଜାର ମୁଖ୍ୟ ରାସ୍ତା ବୁଡ଼ି ସ୍ରୋତ ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ସବୁଠୁ ବଡ଼ ସମସ୍ୟା ହେଲା ପଧାନି ପଞ୍ଚାୟତର ଗତ ୩ ଦିନ ଧରି ବିଦ୍ୟୁତ ସମସ୍ୟା ଲାଗିରହିଛି, ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ବନ୍ୟା ପାଣି ବୁଡ଼ି ରହିଥିବା ଯୋଗୁଁ ବିଷ ଧର ସାପ ଘରେ ପଶି ଯାଉଥିବା ନେଇ ସୂଚନା ମିଳିଛି। ଏପରିକି ପଞ୍ଚାୟତ ଅଧିନ ସଇଲୋ ଗ୍ରାମରେ ଗତ ଦୁଇ ଦିନ ପୂର୍ବରୁ ଜଣେ ଲୋକକୁ ସାପ କାମୁଡ଼ି ଦେଇଥିବା ବେଳେ ଶନିବାର ସନ୍ଧ୍ୟାରେ ଆଉ ଜଣେ ଲୋକକୁ ସାପ କାମୁଡ଼ି ଥିବା ନେଇ ସୂଚନା ମିଳିଛି। ଏପରିସ୍ଥଳେ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସମସ୍ୟା ନେଇ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି। ନଦୀର ବନ୍ୟା ବଢୁଥିବାରୁ ଧାମନଗର ବନ୍ୟା ପରିସ୍ଥିତି କ’ଣ ହେବ ତାହାକୁ ନେଇ ତଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟରେ ବାତାବରଣ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *