ବାତ୍ୟା ଓ ବନ୍ୟାରେ ବାଲେଶ୍ୱରର ୪ ବ୍ଲକ୍ର ୧୦୦୮ ଗାଁ, ମାତ୍ର ୫୪ଟି ଆଶ୍ରୟସ୍ଥଳ
ବାଲେଶ୍ୱର: ସାମୁଦ୍ରିକ ଝଡ଼, ବାତ୍ୟା ସହ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି। ଏଭଳି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ (ଏମ୍ସିଏସ୍) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ (ଏମ୍ଏଫ୍ଏସ୍)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ୪ ବ୍ଲକ୍ର ୧୦୦୮ଟି ଗାଁ ପାଇଁ ରହିଛି ମାତ୍ର ୫୪ଟି ଆଶ୍ରୟସ୍ଥଳ।
୨୦୧୧ ଜନଗଣନା ଅନୁସାରେ, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ରେ ମୋଟ ୧୦୦୮ଟି ଗାଁ ରହିଛି। ଭୋଗରାଇ ଓ ବାଲିଆପାଳର ପ୍ରାୟ ୩୦ କିଲୋମିଟର ସମୁଦ୍ରତଟ ଅଞ୍ଚଳରେ ୨୩ଟି ଗାଁ ଅବସ୍ଥିତ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ପ୍ରତି ଅଧିକ ବିପଦ ରହିଛି।
ସେହିପରି ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ପ୍ରତିବର୍ଷ ୨୯୪ଟି ଗାଁ ସିଧାସଳଖ ପ୍ରଭାବିତ ହେଉଛି। ଲଘୁଚାପ ସହ ଲଗାଣ ବର୍ଷା ହେଲେ ପ୍ରଭାବିତ ଗାଁ ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଉଛି। ବାଲିଆପାଳରେ ସର୍ବାଧିକ ୨୯ଟି, ଭୋଗରାଇରେ ୧୮ଟି, ବସ୍ତାରେ ୪ଟି ଏବଂ ଜଳେଶ୍ୱରରେ ମାତ୍ର ୩ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ରହିଛି।
ଆଶ୍ରୟସ୍ଥଳ ସଂଖ୍ୟା କମ୍ ଥିବାରୁ ବିପର୍ଯ୍ୟୟ ସମୟରେ ସରକାରଙ୍କୁ ବିଭିନ୍ନ ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ଅସ୍ଥାୟୀ ଆଶ୍ରୟକେନ୍ଦ୍ର ଭାବେ ବ୍ୟବହାର କରିବାକୁ ପଡ଼ୁଛି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି।
ଅଧିକାଂଶ ଆଶ୍ରୟସ୍ଥଳର ଅବସ୍ଥା ମଧ୍ୟ ଚିନ୍ତାଜନକ। ଗ୍ରାମସ୍ତରୀୟ ପରିଚାଳନା କମିଟି ଦାୟିତ୍ୱରେ ଥିଲେ ମଧ୍ୟ ଅନେକ ସ୍ଥାନରେ ଆଶ୍ରୟସ୍ଥଳଗୁଡ଼ିକ ଠିକ୍ ଭାବେ ବ୍ୟବହାରଯୋଗ୍ୟ ହୋଇନାହିଁ। ବାଲିଆପାଳ ବ୍ଲକ୍ର ଅସ୍ତି ପଞ୍ଚାୟତର ବଡ଼ାପାଳ ଆଶ୍ରୟସ୍ଥଳରେ ଗୋରୁ ରଖାଯାଉଥିବାରୁ ଏହା ଗୋଶାଳାର ରୂପ ନେଇଛି।
ଅନେକ ଆଶ୍ରୟସ୍ଥଳରେ ବିଶୁଦ୍ଧ ପାନୀୟଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା ସାମଗ୍ରୀ ଓ ସୁରକ୍ଷା ଉପକରଣର ଅଭାବ ରହିଛି। ଏଭଳି ପରିସ୍ଥିତିରେ ବିପଦ ସମୟରେ ଲୋକେ ଆଶ୍ରୟସ୍ଥଳକୁ ଯିବା ପରିବର୍ତ୍ତେ ଘରେ ରହିବାକୁ ପସନ୍ଦ କରୁଥିବା ଦେଖାଯାଉଛି।
ତେଣୁ ବାତ୍ୟା ଓ ବନ୍ୟାପ୍ରବଣ ଗାଁଗୁଡ଼ିକରେ ନୂଆ ଆଶ୍ରୟସ୍ଥଳ ନିର୍ମାଣ ସହ ବର୍ତ୍ତମାନର ଆଶ୍ରୟସ୍ଥଳଗୁଡ଼ିକୁ ତୁରନ୍ତ ବ୍ୟବହାରଯୋଗ୍ୟ କରିବାକୁ ଦାବି ଜୋର ଧରିଛି।
