1 min read

ଦୁଇ ବର୍ଷରେ ହେବ ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ, ଆସିବ ସ୍ୱତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜମିର ସେଟଲମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ୨୦୦୩ ମସିହାରେ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ ନୀତି ଆସିଥିଲା। ପରେ ୨୦୧୯ରେ ଏହାର ସଂଶୋଧନ ହୋଇଥିଲେ ମଧ୍ୟ ନିୟମ ଅଭାବରୁ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ଏବେ ଏଥିପାଇଁ ଆବଶ୍ୟକ ନିୟମ ପ୍ରସ୍ତୁତ କରାଯାଇଛି।

ଦୀର୍ଘବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ଭୋଗଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ରିହାତି ହାରରେ ସେଟଲମେଣ୍ଟର ସୁଯୋଗ ମିଳିବ। ଏଥିପାଇଁ ଆବେଦନକାରୀଙ୍କୁ ଆବଶ୍ୟକ କାଗଜପତ୍ର, ରେକର୍ଡ, ପଞ୍ଜୀକୃତ ଦଲିଲ, ଭଡ଼ା ରସିଦ ଓ ଆବଶ୍ୟକ ସ୍ଥଳେ ଆଇନଗତ ଉତ୍ତରାଧିକାର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।

ସେଟଲମେଣ୍ଟ ପାଇଁ ଅନଲାଇନ୍‌ ପୋର୍ଟାଲରେ ଆବେଦନ କରିବାକୁ ହେବ। ଆବେଦନ ସହ ୧,୦୦୦ ଟଙ୍କାର ନନ୍‌-ରିଫଣ୍ଡେବଲ୍‌ ଫି’ ଦେବାକୁ ପଡ଼ିବ। ଆବେଦନ ପରେ ସମ୍ପୃକ୍ତ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ମାମଲା ଯିବ ଏବଂ ପ୍ରାଥମିକ ଯାଞ୍ଚ ପାଇଁ ନୋଡାଲ ଅଧିକାରୀଙ୍କୁ ୭ ଦିନ ସମୟ ଦିଆଯିବ।

ଏହାପରେ ତହସିଲଦାରଙ୍କ ଦ୍ୱାରା ଜମିର କ୍ଷେତ୍ର ଯାଞ୍ଚ, ସାଇଟ୍‌ ଭିଜିଟ୍‌, ଜମିର ସ୍କେଡ୍ୟୁଲ୍‌ ଓ ଟ୍ରେସ୍‌ ମ୍ୟାପ୍‌, ଭୋଗଦଖଲ ଓ ଟାଇଟଲ୍‌ ସମ୍ପର୍କିତ ଦଲିଲ ଯାଞ୍ଚ କରାଯିବ। ୩୦ ଦିନ ମଧ୍ୟରେ ତହସିଲଦାର ରିପୋର୍ଟ ଦାଖଲ କରିବେ।

ସମ୍ପୃକ୍ତ ଜିଲ୍ଲା କମିଟିର ଯାଞ୍ଚ ପରେ ମାମଲା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ପଠାଯିବ। ଜିଲ୍ଲା କମିଟି ସେଟଲମେଣ୍ଟ ଅନୁମୋଦନ, ପ୍ରତ୍ୟାଖ୍ୟାନ କିମ୍ବା ଅଧିକ ତଦନ୍ତ ପାଇଁ ସୁପାରିସ କରିପାରିବ। ଜମିର ପରିମାଣ ଅନୁଯାୟୀ ତିନି ସ୍ତରରେ ଅଧିକାରୀମାନେ ନିଷ୍ପତ୍ତି ନେବେ।

ସେଟଲମେଣ୍ଟ ଅନୁମୋଦନ ପରେ ନିର୍ଦ୍ଧାରିତ ରାଶି ତିନି ମାସ ମଧ୍ୟରେ ଜମା କରିବାକୁ ପଡ଼ିବ। ଅନଲାଇନ୍‌ ପେମେଣ୍ଟ, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍‌ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇପାରିବ। ଅର୍ଥ ଜମା ପରେ ଡିଡ୍‌ ଏକ୍‌ଜିକ୍ୟୁସନ୍‌ ଓ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ସମ୍ପନ୍ନ ହେବ।

ସରକାର ଏହି ସମଗ୍ର ପ୍ରକ୍ରିୟାକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦୀର୍ଘବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ଭୋଗଦଖଲରେ ଥିବା ଯୋଗ୍ୟ ଲୋକଙ୍କୁ ସେଟଲମେଣ୍ଟ ସୁଯୋଗ ଦେବା ସହ ଶ୍ରୀଜଗନ୍ନାଥ ମନ୍ଦିର କର୍ପସ୍‌ ଫଣ୍ଡ୍‌କୁ ଏଥିରୁ ଆର୍ଥିକ ଲାଭ ମିଳିବ ବୋଲି ସରକାର ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *