UAEରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନ ଆରମ୍ଭ ହୋଇଛି।
ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ UAEରେ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବା କାର୍ଯ୍ୟକ୍ରମ ରହିଛି। UAE ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ନିବେଶ, ମାନୁଫାକ୍ଚରିଂ, ଭିତ୍ତିଭୂମି, ଶକ୍ତି ଓ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ସହଭାଗିତା ବଢ଼ାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲ୍ର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି।
ଆବୁଧାବିରେ ପହଞ୍ଚିବା ପରେ ପ୍ରତିନିଧିମଣ୍ଡଳୀକୁ UAEରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ସ୍ୱାଗତ କରିଥିଲେ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତି, ନିବେଶକ ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା କରି ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇବେ।
ଏହି ଗସ୍ତ ମାଧ୍ୟମରେ UAE ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ ନୂଆ ନିବେଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ପାଇଁ ସରକାର ଆଶା ରଖିଛନ୍ତି।
