ଭାରତକୁ ୬-ଜି ବିକାଶରେ ସହଯୋଗ କରିବ ଆମେରିକା, ୨୪ ଦେଶ ସହ ହେଲା ଚୁକ୍ତି
ୱାଶିଂଟନ୍: ଭାରତର ପରବର୍ତ୍ତୀ ପିଢ଼ିର ୬-ଜି ଦୂରସଂଚାର ନେଟୱାର୍କର ବିକାଶ ଓ ନିୟୋଜନ ପାଇଁ ଆମେରିକା ସମେତ ୨୪ଟି ଦେଶ ସହ ଏକ ବିଶ୍ୱସ୍ତରୀୟ ସହଯୋଗ ଘୋଷଣା କରାଯାଇଛି। ଭାରତର ଜ୍ଞାନକୌଶଳକୁ ସୁଦୃଢ଼ କରିବା ସହ ନବସୃଜନକୁ ପ୍ରୋତ୍ସାହନ ଦେବା ଏହି ସହଯୋଗର ମୁଖ୍ୟ ଉଦ୍ଦେଶ୍ୟ।
ଆମେରିକାର ଉତ୍ତର କାରୋଲିନାର ଚାପେଲ୍ ହିଲ୍ରେ ଅନୁଷ୍ଠିତ ଜି-୨୦ ନବସୃଜନ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଏହି ସହଯୋଗ ସମ୍ପର୍କରେ ଘୋଷଣା କରାଯାଇଥିଲା। ବୈଠକରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଏବଂ ଭାରତର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା।
ବୈଠକରେ ଭାରତ ୬-ଜି ଟେଲିକମ୍ୟୁନିକେସନ୍ ନେଟୱାର୍କର ବିକାଶ ଓ ନିୟୋଜନ ପାଇଁ ବିଶ୍ୱସ୍ତରୀୟ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ଉନ୍ନତ ଦୂରସଂଚାର ପ୍ରଯୁକ୍ତି, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ିବ ବୋଲି ଆଶା କରାଯାଉଛି।
ଏହି ବୈଠକରେ ଭାରତୀୟ ଅଧିକାରୀଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜି-୨୦ ମନ୍ତ୍ରୀମାନେ ଜାରି କରିଥିବା ମନ୍ତ୍ରୀସ୍ତରୀୟ ବିବୃତିରେ ଆଗାମୀ ଦିନରେ ଉଦୀୟମାନ ପ୍ରଯୁକ୍ତିରେ ଅଧିକ ଉନ୍ନତି, ଉତ୍ପାଦକତା ବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ସୁଯୋଗ ବିସ୍ତାର କରିବାର ସମ୍ଭାବନା ଉପରେ ସହମତି ପ୍ରକାଶ ପାଇଛି।
