ବାଲେଶ୍ୱରରେ ୫୦ ଲକ୍ଷ ଟଙ୍କାର ମତ୍ସ୍ୟ ଲ୍ୟାବ୍‌ ଅବ୍ୟବହୃତ, ଗୋରୁ ଚରୁଛନ୍ତି ପରିସରରେ
1 min read

ବାଲେଶ୍ୱରରେ ୫୦ ଲକ୍ଷ ଟଙ୍କାର ମତ୍ସ୍ୟ ଲ୍ୟାବ୍‌ ଅବ୍ୟବହୃତ, ଗୋରୁ ଚରୁଛନ୍ତି ପରିସରରେ

ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳର ୩ ନମ୍ବର ୱାର୍ଡ ଦିଗିରହଣିଆଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ଏବେ ପରିତ୍ୟକ୍ତ ହୋଇପଡ଼ିଛି। କର୍ମଚାରୀ ଅଭାବରୁ ଦୀର୍ଘଦିନ ଧରି ବନ୍ଦ ଥିବା ଏହି କେନ୍ଦ୍ର ଏବେ ଘାସବଣରେ ପରିଣତ ହୋଇଥିବା ବେଳେ ରାତି ହେଲେ ଅସାମାଜିକଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି।

ପ୍ରାୟ ୫ ବର୍ଷ ପୂର୍ବେ ୧ ଏକର ଜମିରେ ୨ ମହଲା ବିଶିଷ୍ଟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ନିର୍ମାଣ କରାଯାଇଥିଲା। ଏଠାରେ ଜିଲ୍ଲାର ମତ୍ସ୍ୟଚାଷୀମାନଙ୍କୁ ପାଣି, ମାଟି ଓ ମାଛର ରୋଗ ପରୀକ୍ଷା ସୁବିଧା ସହ ମାଛଚାଷ ସମ୍ପର୍କିତ ତାଲିମ ଦେବାର ବ୍ୟବସ୍ଥା ରହିଥିଲା।

ହେଲେ ନିର୍ମାଣ ପରଠାରୁ ଏହା ପ୍ରାୟ ବନ୍ଦ ପଡ଼ିଥିଲା। ବାରମ୍ବାର ଅଭିଯୋଗ ପରେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ବର୍ତ୍ତମାନ ପୁଣି କେନ୍ଦ୍ରଟି ବନ୍ଦ ହୋଇଯାଇଛି।

ଫଳରେ କେନ୍ଦ୍ର ପରିସରରେ ଘାସ ଓ ବଡ଼ ବଡ଼ ଗଛ ଉଠିଯାଇଛି। କୋଠାର ଝରକା, କବାଟ ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଯାଇଥିବା ଅଭିଯୋଗ ରହିଛି। ଗେଟ୍‌ରେ ତାଲା ପଡ଼ିଥିଲେ ମଧ୍ୟ ଘର ଓ ଛାତ ଖୋଲା ରହୁଥିବାରୁ ରାତିରେ ନିଶାସକ୍ତ ଓ ଅସାମାଜିକଙ୍କ ଆସର ଜମୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

କାଉନସିଲର ରୋଜାଲିନ୍‌ ପାଣିଙ୍କ କହିବା ଅନୁସାରେ, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରୁ ମତ୍ସ୍ୟଚାଷୀମାନେ କୌଣସି ସୁବିଧା ପାଉନାହାନ୍ତି। କୋଠାର ଝରକା ଓ କବାଟ ଭାଙ୍ଗି ଚୋରି ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଉଚିତ ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ସରକାରୀ ଅର୍ଥରେ ନିର୍ମିତ ଏହି ମତ୍ସ୍ୟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟରକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବା ସହ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି, ସୁରକ୍ଷା ବ୍ୟବସ୍ଥା ଓ ଚୋରି ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି।

ସ୍ଥାନୀୟଙ୍କ କହିବା ଅନୁଯାୟୀ, ଏହି କେନ୍ଦ୍ରରେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ରାତିରେ ସୁରକ୍ଷାକର୍ମୀ ନଥିବାରୁ ଦୁର୍ବୃତ୍ତମାନେ କେନ୍ଦ୍ରରୁ ବହୁ ସାମଗ୍ରୀ ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି।

ବର୍ତ୍ତମାନ ନିକଟସ୍ଥ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ମାଛ ଓ ଜଳ ପରୀକ୍ଷା ସେବା ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ର ପାଇଁ ସ୍ଥାୟୀ କର୍ମଚାରୀ ନିଯୁକ୍ତି ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖାଯାଉଥିବା ଜଣାପଡ଼ିଛି।

ବାଲେଶ୍ୱର ଭଳି ଏକ ମତ୍ସ୍ୟସମୃଦ୍ଧ ଜିଲ୍ଲାରେ ମତ୍ସ୍ୟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ପରେ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ମାଛଚାଷ ସମ୍ପର୍କିତ ରୋଗ ନିରୂପଣ, ଜଳ ଓ ମାଟି ପରୀକ୍ଷା ସହ ଆଧୁନିକ ମତ୍ସ୍ୟଚାଷ ପ୍ରଣାଳୀ ନେଇ ତାଲିମ ମିଳିବ ବୋଲି ଚାଷୀମାନେ ଆଶା ରଖିଥିଲେ। ହେଲେ କେନ୍ଦ୍ରଟି କାର୍ଯ୍ୟକ୍ଷମ ନହେବାରୁ ସେମାନଙ୍କ ମଧ୍ୟରେ ନିରାଶା ପ୍ରକାଶ ପାଇଛି।

ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି, ଆବଶ୍ୟକ ସରଞ୍ଜାମ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *