ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ
ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଭାଲିଆସାହି ଗ୍ରାମର ଭୀମ ମଣ୍ଡଳ ନାମକ ଜଣେ ଯୁବକ ନଦୀ ପାର ହେବା ସମୟରୁ ନିଖୋଜ ହୋଇଛନ୍ତି। ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପୁଲିସ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି।
ସୂଚନା ଅନୁସାରେ, ଭୀମ ସନ୍ଧ୍ୟାରେ ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିଲେ। ଘରେ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ସେ ପୁଣି ନଦୀ ପାର ହୋଇ ନିକଟସ୍ଥ ଦୋକାନକୁ ଯାଇଥିଲେ। ତେବେ ଦୋକାନକୁ ଯିବା ପରେ ସେ ଆଉ ଘରକୁ ଫେରିନଥିଲେ।
ସକାଳେ ପରିବାରବର୍ଗ ଓ ଗ୍ରାମବାସୀ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ସମୟରେ ନଦୀରୁ ଭୀମଙ୍କ ଚପଲ ମିଳିଥିଲା। ଏଥିରୁ ସେ ନଦୀରେ ଭାସିଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ରାୟଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଓଡ୍ରାଫ୍ ଟିମ୍ର ସହାୟତା ଲୋଡ଼ିଥିଲା। ଏହାପରେ ନଦୀରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ରାୟଗଡ଼ ବ୍ଲକ୍ ଉନ୍ନୟନ ଅଧିକାରୀ ସୁଶାନ୍ତ ବାରିକ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ, ଭୀମଙ୍କ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ନଦୀକୂଳରେ ଅପେକ୍ଷା କରି ରହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।
