ମା’ବାପାଙ୍କୁ ହରାଇ ୪ ନାବାଳିକା ଅସହାୟ: ୧୦ କେଜି ଚାଉଳରେ ଚଳୁଛି ପରିବାର, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
ନୀଳଗିରି: ମାତ୍ର ୩ ମାସ ମଧ୍ୟରେ ମା’ବାପାଙ୍କୁ ହରାଇ ଏବେ ଅସହାୟ ହୋଇପଡ଼ିଛନ୍ତି ୪ ନାବାଳିକା ଭଉଣୀ। ମୁଣ୍ଡ ଉପରେ ନାହିଁ ଛାତ, ପେଟକୁ ନାହିଁ ଦୁଇବେଳାର ଖାଦ୍ୟ। ବାପାମା’ଙ୍କ ରାସନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ ଏବେ ଏହି ଅସହାୟ ପରିବାରର ଏକମାତ୍ର ଭରସା ପାଲଟିଛି। ସ୍ବର୍ଣ୍ଣଚୂଡ଼ ପାହାଡ଼ ଉପରେ ଥିବା ଏକ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଏହି ୪ ଭଉଣୀ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡର ଘାଟଘର ସାହିର ଏହି ଘଟଣା ଏବେ ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରିଛି। ମା’ବାପାଙ୍କ ଅକାଳ ବିୟୋଗ ପରେ ୪ ନାବାଳିକା ଭଉଣୀଙ୍କ ପାଠପଢ଼ା ମଧ୍ୟ ବନ୍ଦ ହୋଇଯାଇଛି। ପରିବାର ଚଳାଇବା ପାଇଁ ଏବେ ବଡ଼ ଭଉଣୀ ଦୀପାଳି ଓ ରୂପାଳି ଅନ୍ୟ ଘରେ କାମ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି, ସେଥିରେ ପରିବାରର ଚୁଲି ଜଳୁଛି।
ସୂଚନା ଅନୁଯାୟୀ, ଘାଟଘର ସାହିର ସ୍ବର୍ଗତ ଅରବିନ୍ଦ ବେହେରା ଓ ତାଙ୍କ ପତ୍ନୀ ସୁନୀଙ୍କ ପରିବାରରେ ରହୁଥିଲେ ୪ ଝିଅ—ଦୀପାଳି (୧୩), ରୂପାଳି (୧୧), ସୋନାଳି (୯) ଓ ରୋଜାଳିନୀ (୫)। ଅରବିନ୍ଦ ଦିନମଜୁରି କରି ପରିବାର ଚଳାଉଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଘରକାମ ସହ ପରିବାର ସମ୍ଭାଳୁଥିଲେ।
ଗତ ଜୁନ୍ ମାସରେ ଅଜଣା ରୋଗରେ ପୀଡ଼ିତ ହୋଇ ପ୍ରଥମେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ୧୫ ଦିନ ପରେ ତାଙ୍କ ପତ୍ନୀ ସୁନୀ ମଧ୍ୟ ଆରପାରିକୁ ଚାଲିଯାଇଥିଲେ। ଅଳ୍ପ ସମୟ ମଧ୍ୟରେ ମା’ବାପାଙ୍କୁ ହରାଇ ୪ ନାବାଳିକା ଭଉଣୀ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ।
ମା’ବାପାଙ୍କ ମୃତ୍ୟୁ ପରେ ଖାଇବାକୁ ମଧ୍ୟ ଠିକ୍ ଭାବେ ମିଳୁନଥିବାରୁ ବଡ଼ ଭଉଣୀ ଦୀପାଳି ଓ ରୂପାଳି ପାଠପଢ଼ା ଛାଡ଼ି ଅନ୍ୟ ଘରେ କାମ କରୁଛନ୍ତି। ଦୀପାଳି ଷଷ୍ଠ ଶ୍ରେଣୀ ଓ ରୂପାଳି ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ଏବେ ଦୁଇ ଭଉଣୀଙ୍କ ରୋଜଗାରରେ ୪ ଭଉଣୀଙ୍କ ଜୀବନ ଚଳୁଛି।
ସବୁଠାରୁ କରୁଣ ଦୃଶ୍ୟ ହେଉଛି, ଯେଉଁ ଘରେ ଏହି ୪ ନାବାଳିକା ରହୁଛନ୍ତି, ତାହା ଏକ ଭଙ୍ଗା କୁଡ଼ିଆ। ଦରିପଲିନ୍ ନଡ଼ା ଛପର ତଳେ ଦିନ କାଟୁଛନ୍ତି ଏହି ଅସହାୟ ଭଉଣୀମାନେ। ବର୍ଷା ହେଲେ ଘର ଭିତରେ ପାଣି ପଶିବା ସହ ଅନ୍ୟ ସମୟରେ ମଧ୍ୟ ଘରର ଅସୁରକ୍ଷିତ ଅବସ୍ଥା ସେମାନଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଛି।
ଏଭଳି ଦୁର୍ଦ୍ଦିନରେ ମଧ୍ୟ ଏହି ନାବାଳିକାମାନଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡ଼ିନଥିବା ଅଭିଯୋଗ ହୋଇଛି। ସରକାରୀ ଯୋଜନାର ସହାୟତା, ଆବାସ, ଖାଦ୍ୟ ଓ ଶିକ୍ଷାର ସୁଯୋଗ ସହ ଏହି ଭଉଣୀମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମା’ବାପାଙ୍କୁ ହରାଇ ଅତି କମ୍ ବୟସରେ ଏଭଳି ଦୁର୍ଦ୍ଦଶାରେ ଜୀବନ କାଟୁଥିବା ୪ ନାବାଳିକାଙ୍କ ପ୍ରତି ପ୍ରଶାସନ ଓ ସମାଜର ସହାୟତାର ହାତ ବଢ଼ାଇବା ଏବେ ଜରୁରୀ ହୋଇପଡ଼ିଛି।
