କଲ୍ୟାଣମୁଣ୍ଡା ଡାକ୍ତରଖାନାରେ ଡାକ୍ତର ଅଭାବ: ୨ ମାସ ହେଲା ଛୁଟିରେ ଡାକ୍ତର, ରୋଗୀସେବା ବ୍ୟାହତ
କଲ୍ୟାଣମୁଣ୍ଡା: କଲ୍ୟାଣମୁଣ୍ଡା ବ୍ଲକ୍ ରିସିଡାସ୍ଥିତ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ପ୍ରାୟ ଦୁଇ ମାସ ହେଲା ଛୁଟିରେ ଥିବାରୁ ଏହାର ପ୍ରଭାବ ସିଧାସଳଖ ଭାବେ ରୋଗୀସେବା ଉପରେ ପଡ଼ିଛି।
ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ହଇରାଣ ହେଉଛନ୍ତି। ଅନେକ ରୋଗୀ ଚିକିତ୍ସା ନପାଇ ଘରୋଇ ନର୍ସିଂହୋମ୍ କିମ୍ବା ଅନ୍ୟ ଡାକ୍ତରଖାନାର ଦ୍ୱାରସ୍ଥ ହେଉଥିବା ଦେଖାଯାଉଛି।
ନିୟମ ଅନୁଯାୟୀ, ଜଣେ ଡାକ୍ତର ଛୁଟିରେ ରହିଲେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଡାକ୍ତରଙ୍କୁ ସାମୟିକ ଭାବେ ନିୟୋଜିତ କରିବା କଥା। ହେଲେ ଏ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଉନଥିବା ଅଭିଯୋଗ ହୋଇଛି। ଜଣେ ଆୟୁଷ ଡାକ୍ତରଙ୍କୁ ଦାୟିତ୍ବ ଦେଇ ବିଭାଗ ଚୁପ୍ ବସିଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଅଞ୍ଚଳରେ ରିସିଡା ଏକ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବା ବେଳେ ପ୍ରତିଦିନ ପ୍ରାୟ ୧୦୦ରୁ ୨୦୦ ରୋଗୀ ଚିକିତ୍ସା ଓ ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ପ୍ରସୂତି ଓ ପ୍ରସବ ବିଭାଗ ମଧ୍ୟ ରହିଥିବାରୁ ଅନ୍ତତଃ ଜଣେ ଏମ୍ବିବିଏସ୍ ଡାକ୍ତର ସ୍ଥାୟୀ ଭାବେ ନିୟୋଜିତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
ଗତ ସୋମବାର ଭବାନୀପାଟଣାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ସ୍ଥାନୀୟ ଯୁବ ସଂଗଠକ ସଲିମ୍ ଶେଖର ରଣା ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମ୍ଓ ୭ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ।
ବର୍ତ୍ତମାନ କଲ୍ୟାଣମୁଣ୍ଡା ସିଏଚ୍ସିରୁ ଜଣେ ଡାକ୍ତରଙ୍କୁ ରିସିଡା ଡାକ୍ତରଖାନାରେ ସାମୟିକ ଭାବେ ନିୟୋଜିତ କରିବା ସହ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି।
