ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନାରେ ଶ୍ରେଷ୍ଠ: ଓଡ଼ଗାଁ ଏନ୍ଏସିକୁ ୨ କୋଟି ଟଙ୍କା ପୁରସ୍କାର
ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜସ୍ୱ ଆୟ ବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଓଡ଼ଗାଁ ଏନ୍ଏସିକୁ ରାଜ୍ୟର ଶ୍ରେଷ୍ଠ ଏନ୍ଏସି ଭାବେ ଚୟନ କରାଯାଇଛି।
ଏହି ସଫଳତା ପାଇଁ ଓଡ଼ଗାଁ ଏନ୍ଏସିକୁ ୨ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ଚଳିତ ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନ ଅଡିଟୋରିୟମ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରୁ ଓଡ଼ଗାଁ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରସ୍କାର ଅର୍ଥରାଶି ଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପାଇଛନ୍ତି।
ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ସହରାଞ୍ଚଳର ସ୍ଥାନୀୟ ସ୍ବାୟତ୍ତ ସଂସ୍ଥାଗୁଡ଼ିକୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଏଭଳି ପୁରସ୍କାର ପ୍ରଦାନ କରାଯାଏ। ଚଳିତବର୍ଷ ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଓଡ଼ଗାଁ ଏନ୍ଏସିର ଉତ୍କୃଷ୍ଟ ପ୍ରଦର୍ଶନ ଏହି ସମ୍ମାନ ପାଇଁ ଏହାକୁ ଯୋଗ୍ୟ ବିବେଚିତ କରିଛି।
ଏହି ସଫଳତାର ଶ୍ରେୟ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସମସ୍ତ ସହରବାସୀଙ୍କୁ ଦେଇଛନ୍ତି। ଓଡ଼ଗାଁ ଏନ୍ଏସି ଓ ସହରାଞ୍ଚଳବାସୀଙ୍କ ପକ୍ଷରୁ ଭବିଷ୍ୟତରେ ମଧ୍ୟ ପୂର୍ବଭଳି ସହଯୋଗ ଜାରି ରହିଲେ ଏନ୍ଏସି ଆଗାମୀ ଦିନରେ ଆହୁରି ଅନେକ ସୁବିଧା ଓ ସୁଯୋଗ ଯୋଗାଇ ଦେଇପାରିବ ବୋଲି ସେ କହିଛନ୍ତି।
ଓଡ଼ଗାଁ ଏନ୍ଏସିର ଏହି ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସହରର ବିକାଶ ଓ ଜନସେବା କ୍ଷେତ୍ରରେ ଏହି ପୁରସ୍କାର ଆହୁରି ଉତ୍ସାହ ଯୋଗାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
