ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଜମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହରେ ଜମିଯାଉଥିବାରୁ ବିପଦସଙ୍କୁଳ ପରିବେଶରେ ପିଲାଙ୍କ ପାଠପଢ଼ା ଚାଲିଛି। ସ୍କୁଲର ଜରାଜୀର୍ଣ୍ଣ ଛାତ ମରାମତି ସହ ଦୁଇଟି ନୂଆ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଘଟଣାକୁ ନେଇ ସର୍ବେଜାଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶନିବାର ସକାଳୁ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଶିକ୍ଷକମାନଙ୍କୁ ବାହାରକୁ ଆସିବାକୁ କହିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶ୍ରେଣୀଗୃହରୁ ବାହାରକୁ ଅଣାଯାଇଥିଲା। ପରେ ସ୍କୁଲର ମୁଖ୍ୟ ଗେଟରେ ତାଲା ପକାଇ ଦିଆଯାଇଥିଲା।
ତେବେ ପିଲାଙ୍କ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପାଇଁ ଗ୍ରାମବାସୀ ସ୍କୁଲ ଗେଟ୍ ବାହାରେ ପାଲ ଟାଣି ଛାଉଣି କରିଥିଲେ। ତଳେ ଦରି ବିଛାଇ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଥିଲା। ସେଠାରେ ଶିକ୍ଷକମାନେ ପିଲାଙ୍କୁ ପାଠ ପଢ଼ାଇଥିଲେ। ଏପରିକି ଛାତ୍ରଛାତ୍ରୀମାନେ ରାସ୍ତାକଡ଼ରେ ବସି ମଧ୍ୟାହ୍ନ ଭୋଜନ କରିଥିବା ଦେଖିବାକୁ ମିଳିଥିଲା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୮୯ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ନିକଟରେ ଶିଶୁବାଟିକା ମଧ୍ୟ ଖୋଲାଯାଇଛି। ଶିଶୁବାଟିକାକୁ ବାଦ ଦେଲେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି। କିନ୍ତୁ ସ୍କୁଲର ଶ୍ରେଣୀଗୃହଗୁଡ଼ିକର ଛାତ ଦୟନୀୟ ଅବସ୍ଥାରେ ରହିଛି।
ବର୍ଷା ହେଲେ ଭଙ୍ଗାଫଟା ଟିଣ ଓ ଆଜବେଷ୍ଟର ଦେଇ ପାଣି ଶ୍ରେଣୀଗୃହ ଭିତରକୁ ପଶୁଛି। ଫଳରେ ଘର ଭିତରେ ପାଣି ଜମିବା ସହ ପରିବେଶ ସନ୍ତସନ୍ତିଆ ହୋଇପଡ଼ୁଛି। ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସମସ୍ୟା ସୁଧାରିବା ପାଇଁ ମରାମତି ହୋଇଥିଲେ ମଧ୍ୟ ଛାତରୁ ପାଣି ଝରିବା ସମସ୍ୟା ପୂର୍ବାପେକ୍ଷା ଅଧିକ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସମ୍ପୃକ୍ତ ଠିକାଦାର, ଯନ୍ତ୍ରୀ ଓ ବିଡିଓଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଛାତ ମରାମତି ପାଇଁ ପ୍ରାୟ ୧ ଲକ୍ଷ ୮୪ ହଜାର ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଗତ ମାର୍ଚ୍ଚରେ ମରାମତି କାମ ହୋଇଥିବା ଉଲ୍ଲେଖ ଥିଲେ ମଧ୍ୟ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଏନେଇ ଛାତର ପୁନଃ ମରାମତି ସହ ଆବଶ୍ୟକତା ଅନୁଯାୟୀ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ କରି ପିଲାଙ୍କୁ ସୁରକ୍ଷିତ ପାଠପଢ଼ା ପରିବେଶ ଯୋଗାଇଦେବାକୁ ଦାବି ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏସ୍ଏମ୍ସି ଅଧ୍ୟକ୍ଷ ସୁଶାନ୍ତ କିଷାନ କହିଛନ୍ତି।
ସରକାରୀ ଅନୁଦାନରେ ହୋଇଥିବା ମରାମତି କାମର ଗୁଣବତ୍ତାକୁ ନେଇ ଉଠିଥିବା ଅଭିଯୋଗର ତଦନ୍ତ ହେବ କି, ଦୁର୍ବଳ ଛାତର ତୁରନ୍ତ ମରାମତି ସହ ନୂଆ ଶ୍ରେଣୀଗୃହ ନିର୍ମାଣ ନେଇ ପ୍ରଶାସନ କେବେ ପଦକ୍ଷେପ ନେବ—ଏବେ ତାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅପେକ୍ଷା ରହିଛି।