ବିକାଶରେ ଲାଗିଲା ବ୍ରେକ୍: ୧୫ ବର୍ଷ ହେଲା୪ଗ୍ରାମର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠପ
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହୁଲଡିହା ପଞ୍ଚାୟତରେ ରାସ୍ତା ସମସ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ କରୁଥିବା ପ୍ରମୁଖ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡ଼ିଥିବା ବେଳେ ବିକାଶ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି।
ପଞ୍ଚାୟତର ହରିହରପୁର ମାଝୀସାହିରୁ ଭାୟା ଖଣ୍ଡମୁଣ୍ଡା ଦେଇ କତ୍ରାପାଲି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମାଟି ରାସ୍ତାର ଉନ୍ନତୀକରଣ ହୋଇନଥିବାରୁ ଲୋକେ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି। ପ୍ରାୟ ୧୫ ବର୍ଷ ଧରି ଏହି ରାସ୍ତାର ଅବସ୍ଥା ସୁଧୁରିନଥିବା ଅଭିଯୋଗ ହୋଇଛି।
୨୦୦୭ ମସିହାରେ ତତ୍କାଳୀନ ସରପଞ୍ଚ ବାବୁଲାଲ ପ୍ରଧାନଙ୍କ ସମୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହାପରେ ଅନେକ ପଞ୍ଚାୟତ ଓ ବ୍ଲକ ପ୍ରତିନିଧି ଆସିଥିଲେ ମଧ୍ୟ ରାସ୍ତାର ଉନ୍ନତୀକରଣ ପ୍ରତି ଦୃଷ୍ଟି ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ରାସ୍ତାଟି ସାରା ବଡ଼ ବଡ଼ ଗାତରେ ଭରିଯାଇଛି। ବର୍ଷା ହେଲେ ଗାତଗୁଡ଼ିକରେ ପାଣି ଜମିଯାଉଥିବାରୁ ଯାତାୟାତ ଆହୁରି କଷ୍ଟକର ହୋଇପଡ଼ୁଛି। ଆମ୍ବୁଲାନ୍ସ ସମେତ ତିନିଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିବା ଦୂରର କଥା, ସାଇକେଲରେ ଯିବାକୁ ମଧ୍ୟ ଲୋକେ ବହୁ କଷ୍ଟ ଭୋଗୁଛନ୍ତି।
ଏହି ରାସ୍ତା ଉପରେ ହରିହରପୁର ହରିଜନ ସାହି, ଅଙ୍ଗନୱାଡ଼ି ସାହି, ଖଣ୍ଡମୁଣ୍ଡା, କତ୍ରାପାଲିର କିଷାନସାହି ଓ ଚାଷାସାହି ସମେତ ଆଖପାଖର ୪ରୁ ୫ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ ପରିବାରର ୬୦୦ରୁ ଅଧିକ ଲୋକଙ୍କ ଯାତାୟାତର ଏହା ମୁଖ୍ୟ ମାଧ୍ୟମ ବୋଲି ଜଣାପଡ଼ିଛି।
ରାସ୍ତା ଖରାପ ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ସମସ୍ୟାରେ ପଡ଼ୁଛନ୍ତି। ଗାଁକୁ ଯାନବାହନ ଆସିପାରୁନଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିବା କଷ୍ଟକର ହେଉଛି। ଫଳରେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
ସ୍କୁଲ ଗାଡ଼ି ଗାଁକୁ ଯାଇପାରୁନଥିବାରୁ ଅଭିଭାବକମାନେ ପିଲାଙ୍କୁ ପ୍ରାୟ ୩ କିଲୋମିଟର ଦୂର ରେଙ୍ଗାଳବାହାଳ ଗ୍ରାମ ପର୍ଯ୍ୟନ୍ତ ନେଇଯିବାକୁ ବାଧ୍ୟ ହେଉଛନ୍ତି। ଏହାସହ ଚାଉଳ ଓ ଭତ୍ତା ଭଳି ସରକାରୀ ସୁବିଧା ପାଇଁ ପଞ୍ଚାୟତକୁ ଯାଉଥିବା ହିତାଧିକାରୀମାନେ ମଧ୍ୟ ଯାତାୟାତରେ ହଇରାଣ ହେଉଥିବା କହିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ଏହି ରାସ୍ତାର ଦୁରବସ୍ଥା ସମ୍ପର୍କରେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଅନେକଥର ଅଭିଯୋଗ କରାଯାଇଛି। ଏପରିକି ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଥିଲା। ତଥାପି ସମସ୍ୟାର ସମାଧାନ ହୋଇନଥିବା ଲୋକେ କହିଛନ୍ତି।
ଆଗାମୀ ନିର୍ବାଚନ ପୂର୍ବରୁ ଯଦି ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ଆନ୍ଦୋଳନ ସହ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ରାସ୍ତାର ତୁରନ୍ତ ଉନ୍ନତୀକରଣ କରିବାକୁ ବସନ୍ତ ରଣା, ସନ୍ତୋଷ ରଣା, ସଞ୍ଜୀବ ରଣା, କିଶୋରୀ ନାଗ, ନାରଣ ନାଗ, ବାସନ୍ତୀ ରଣା, କୁମୁଦିନୀ ରଣା, ଶାନ୍ତି ନାୟକ, ଗୌରୀ ନାଗ, ଲାଭ ଡଙ୍ଗି, ପ୍ରଶାନ୍ତ ପ୍ରଧାନ, ସୁଶୀଲ କୁମାର ସାହୁ, ତପନ ପ୍ରଧାନ, ହୃଷୀକେଶ ସ୍ୱାଇଁ, ରଞ୍ଜିତ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।