ବିକାଶଠାରୁ ବହୁ ଦୂରରେ ବିଜେପୁର; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀ ଅଭାବ
1 min read

ବିକାଶଠାରୁ ବହୁ ଦୂରରେ ବିଜେପୁର; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀ ଅଭାବ

ବିଜେପୁର: ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚିତ ବିଜେପୁର ନିର୍ବାଚନମଣ୍ଡଳୀ ଦୁଇଟି ହାଇପ୍ରୋଫାଇଲ୍‌ ଉପନିର୍ବାଚନର ସାକ୍ଷୀ ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ସହ ବିକାଶ ପାଇଁ ଦିଆଯାଇଥିଲା ଅନେକ ପ୍ରତିଶ୍ରୁତି। ହେଲେ ଏବେ ବି ବିଜେପୁରର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି।

ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ବ୍ଲକ୍‌ ଅନ୍ତର୍ଗତ କେତେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ପଦ ଖାଲି ପଡ଼ିଛି।

ବର୍ତ୍ତମାନ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ ଓ ୨ ଜଣ ଏମ୍‌ବିବିଏସ୍‌ ଡାକ୍ତର ଥିବା ସୂଚନା ମିଳିଛି। ଭେଷଜ ଓ ଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ପଦ ଖାଲି ରହିଛି। ସେହିପରି ୬ ଜଣ ଷ୍ଟାଫ୍‌ ନର୍ସଙ୍କ ସ୍ଥାନରେ ୩ ଜଣ ଏବଂ ୨ ଜଣ ପିଅନଙ୍କ ସ୍ଥାନରେ ଜଣେ ପିଅନ କାର୍ଯ୍ୟ କରୁଛନ୍ତି। ସୁରକ୍ଷାକର୍ମୀ ସମେତ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି।

ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ପାଇଁ ବେଡ୍‌ସିଟ୍‌ର ଅଭାବ ରହୁଥିବା ଏବଂ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନେଇ ମଧ୍ୟ ଅଭିଯୋଗ ଆସୁଛି। ଆଶାକର୍ମୀଙ୍କ ଦ୍ୱାରା ରକ୍ତଚାପ ମାପିବା ଭଳି କାର୍ଯ୍ୟ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ତେବେ ବିଜେପୁରରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ୧୬ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବନ ନିର୍ମାଣ ପାଇଁ ବିଧାୟକ ସନତ ଗଡ଼ତିଆ ଶିଳାନ୍ୟାସ କରିଛନ୍ତି।

ଅନ୍ୟପଟେ ତାଳପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ, ଝାଡ଼ୁଦାର ଓ ସୁରକ୍ଷାକର୍ମୀ ଭଳି ପଦ ଖାଲି ପଡ଼ିଛି। ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ରହିଛି।

ସେହିପରି ଖରମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ଜଣେ ଡାକ୍ତର ଥିବା ବେଳେ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି। ସାଇପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ଲାଉମୁଣ୍ଡାରେ ଫାର୍ମାସିଷ୍ଟ ଓ ଷ୍ଟାଫ୍‌ ନର୍ସ ନଥିବା ସହ ଭିତ୍ତିଭୂମିର ଅଭାବ ରହିଛି।

ବିଜେପୁର ବ୍ଲକ୍‌ର ୨୩ଟି ପଞ୍ଚାୟତର ୧୧୦ଟି ରାଜସ୍ୱ ଗ୍ରାମ ସହ ବିଜେପୁର ସହର ଏବଂ ପଡ଼ୋଶୀ ଗାଇସିଲେଟ, ସୋହେଲା ଓ ବରପାଲି ବ୍ଲକ୍‌ର କେତେକ ଗ୍ରାମର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏତେ ବଡ଼ ଅଞ୍ଚଳର ଲୋକଙ୍କ ପାଇଁ ଡାକ୍ତର ଓ କର୍ମଚାରୀ ଅଭାବ ଚିକିତ୍ସାସେବାକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି।

ସରକାର ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଜେପୁରରେ ମୌଳିକ ସ୍ୱାସ୍ଥ୍ୟସେବା ନେଇ ଏଭଳି ଅବ୍ୟବସ୍ଥା କାହିଁକି ରହିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦ ପୂରଣ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *