ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି।
‘ବନ୍ଦେ ମାତରମ୍’ର ୧୫୦ତମ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ଚଳିତବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସହ ‘ବନ୍ଦେ ମାତରମ୍’ର ସ୍ୱର ସ୍ୱାଧୀନତା ଦିବସ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ।
ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ‘ବନ୍ଦେ ମାତରମ୍’ର ଐତିହାସିକ ସମ୍ପର୍କ ରହିଛି। ଏହି ଗୀତ ଦେଶବାସୀଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବାଦର ଭାବନା ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି।
ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ‘ବନ୍ଦେ ମାତରମ୍’ ଗାନ କରାଯିବା ଦ୍ୱାରା ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନ ଅଧିକ ଐତିହାସିକ, ଗରିମାମୟ ଓ ଦେଶାତ୍ମବୋଧକ ହେବ ବୋଲି ଆଶା କରାଯାଉଛି।