ନୂଆଦିଲ୍ଲୀ, ୧୧ ଅଗଷ୍ଟ: ଦେଶରେ ସାମଗ୍ରୀ ପରିବହନକୁ ଅଧିକ ସୁଗମ ଓ ବାଧାମୁକ୍ତ କରିବା ଲକ୍ଷ୍ୟରେ ଜିଏସ୍ଟି ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଲୁଥିବା ଅନଧିକୃତ ଭୌତିକ ଚେକ୍ପୋଷ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛି ସଂସଦର ଅର୍ଥ ସମ୍ପର୍କିତ ସ୍ଥାୟୀ କମିଟି। ରାଜ୍ୟ ପୁଲିସ, ବାଣିଜ୍ୟିକ କର ବିଭାଗ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲୁଥିବା ଏଭଳି ଚେକ୍ପୋଷ୍ଟ ଯୋଗୁଁ ମାଲ ପରିବହନରେ ଅଯଥା ବିଳମ୍ବ ଓ ପରିବହନକାରୀଙ୍କୁ ଅସୁବିଧା ହେଉଥିବା କମିଟି ଦର୍ଶାଇଛି।
ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଥିବା ସ୍ଥାୟୀ ଅର୍ଥ କମିଟି ରାଜସ୍ୱ ବିଭାଗକୁ ଏ ସମ୍ପର୍କରେ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ‘ଗ୍ରାଉଣ୍ଡ ରିଏଲିଟି’ ବା ବାସ୍ତବ ସ୍ଥିତି ଜାଣିବାକୁ କହିଛି। ଆବଶ୍ୟକ ହେଲେ ଏହି ପ୍ରସଙ୍ଗକୁ ଜିଏସ୍ଟି ପରିଷଦ ନିକଟରେ ଉଠାଇବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି।
ଲୋକସଭାରେ ଉପସ୍ଥାପିତ ରାଜସ୍ୱ ବିଭାଗର ‘ଆକ୍ସନ୍ ଟେକେନ୍ ରିପୋର୍ଟ’ରେ କମିଟି କହିଛି ଯେ, ଅନଧିକୃତ ଭୌତିକ ଚେକ୍ପୋଷ୍ଟ ଓ ନିୟମିତ ଭାବେ ଗାଡ଼ି ଅଟକାଇବା ଜିଏସ୍ଟିର ମୂଳ ଲକ୍ଷ୍ୟ—ଏକ ବାଧାମୁକ୍ତ ଓ ସମନ୍ୱିତ ଜାତୀୟ ବଜାର—କୁ ଦୁର୍ବଳ କରୁଛି।
କମିଟି ରାଜସ୍ୱ ବିଭାଗକୁ ଏଥିପାଇଁ ମଧ୍ୟ ଭର୍ତ୍ସନା କରିଛି ଯେ, ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଏନେଇ ଅନୁସରଣମୂଳକ ପଦକ୍ଷେପ ନିଆଯାଇଛି କି ନାହିଁ କିମ୍ବା ଏହି ପ୍ରସଙ୍ଗ ଜିଏସ୍ଟି ପରିଷଦରେ ଉଠାଯାଇଛି କି ନାହିଁ, ତାହା ବିଭାଗ ତାହାର ଉତ୍ତରରେ ସ୍ପଷ୍ଟ କରିନଥିବା କମିଟି ଦର୍ଶାଇଛି।
ରାଜସ୍ୱ ବିଭାଗ ନିଜ ପକ୍ଷରୁ କହିଛି ଯେ, ଜିଏସ୍ଟି ଲାଗୁ କରାଯିବାର ଅନ୍ୟତମ ଉଦ୍ଦେଶ୍ୟ ଥିଲା ପୁରୁଣା ଭୌତିକ ବ୍ୟାରିୟର ଓ ଚେକ୍ପୋଷ୍ଟ ବ୍ୟବସ୍ଥାକୁ ହଟାଇବା। ଏହାସହ ମାଲ ପରିବହନର ଯାଞ୍ଚ ପାଇଁ CGST ଆଇନର ଧାରା ୬୮ ଅନୁଯାୟୀ କେବଳ ଅଧିକୃତ ଅଧିକାରୀଙ୍କ ଦ୍ୱାରା ଗାଡ଼ି ଅଟକାଇ ଯାଞ୍ଚ କରାଯାଇପାରିବ।
ଏହାବ୍ୟତୀତ ଇ-ୱେ ବିଲ୍ ଓ RFID ଭଳି ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ରହିଥିବାରୁ ଅନାବଶ୍ୟକ ଭୌତିକ ଚେକ୍ପୋଷ୍ଟର ଆବଶ୍ୟକତା ନଥିବା ରାଜସ୍ୱ ବିଭାଗ କହିଛି।
ତେବେ କେବଳ ଆଇନ ଓ ପ୍ରଯୁକ୍ତିଗତ ବ୍ୟବସ୍ଥାର ବର୍ଣ୍ଣନା ନକରି, ବାସ୍ତବରେ ରାଜ୍ୟଗୁଡ଼ିକରେ ଅନଧିକୃତ ଚେକ୍ପୋଷ୍ଟ ଚାଲୁଛି କି ନାହିଁ, ତାହାର ତଦାରଖ କରିବାକୁ କମିଟି ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। ପରିବହନକାରୀଙ୍କୁ ଅଯଥା ବିଳମ୍ବରୁ ସୁରକ୍ଷା ଦେବା ପାଇଁ ପୋର୍ଟାଲ୍ ରିପୋର୍ଟିଂ ବ୍ୟବସ୍ଥାକୁ ମଧ୍ୟ ଆହୁରି ସୁଦୃଢ଼ କରିବାକୁ କମିଟି ପରାମର୍ଶ ଦେଇଛି।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨, ୨୦୨୬ରେ ସଂସଦରେ ଉପସ୍ଥାପିତ ରିପୋର୍ଟରେ ମଧ୍ୟ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାଧୀନ ଅର୍ଥ କମିଟି ଏହି ପ୍ରସଙ୍ଗ ଉଠାଇଥିଲା। ଦେଶରେ ସାମଗ୍ରୀର ନିରବଚ୍ଛିନ୍ନ ଗତି ସୁନିଶ୍ଚିତ କରିବା ସହ ଜିଏସ୍ଟି ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି କମିଟି ଗୁରୁତ୍ୱାରୋପ କରିଥିଲା।