ନୂଆଦିଲ୍ଲୀ, ୧୧ ଅଗଷ୍ଟ : କଟକର ବିକାଶ, ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟନର ବିକାଶକୁ ନୂଆ ଦିଗ ଦେବା ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ଏକ ସାର୍ଥକ ଓ ଫଳପ୍ରସୂ ଆଲୋଚନା କରିଛନ୍ତି।
ଏହି ଆଲୋଚନାରେ କଟକର ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଏବଂ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ମଧ୍ୟ ଉପସ୍ଥିତ ଥିଲେ।
ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିଥିଲା ସତ୍ୟବ୍ରତ ଷ୍ଟାଡିୟମର ନବୀକରଣ। କଟକର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଷ୍ଟାଡିୟମର ଆଧୁନିକୀକରଣ ନେଇ ଆଲୋଚନା ହୋଇଥିଲା। ଏହା ସହିତ ଐତିହାସିକ ବାରବାଟୀ ଦୁର୍ଗ ଓ ଏହାର ଖାଇର ସଂରକ୍ଷଣ, ବିକାଶ ଓ ସୌନ୍ଦର୍ଯ୍ୟବର୍ଦ୍ଧନ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ପଦମାଳାସ୍ଥିତ ବାଣେଶ୍ୱରନାସୀ ମନ୍ଦିରର ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟବର୍ଦ୍ଧନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଧାର୍ମିକ ଓ ଐତିହାସିକ ସ୍ଥଳଗୁଡ଼ିକର ବିକାଶ ମାଧ୍ୟମରେ କଟକର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ବ୍ୟାପକ କରିବା ନେଇ ମଧ୍ୟ ମତବିନିମୟ ହୋଇଥିଲା।
କଟକର କ୍ରୀଡ଼ା ଭିତ୍ତିଭୂମି ସହ ଏହାର ହଜାର ହଜାର ବର୍ଷର ଐତିହ୍ୟ, ସାଂସ୍କୃତିକ ପରିଚୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଏକାସାଙ୍ଗରେ ନେଇ ବିକାଶର ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା।
ଆଲୋଚନାଟି ଅତ୍ୟନ୍ତ ଗଠନମୂଳକ ଓ ଫଳପ୍ରସୂ ରହିଥିବା ଭର୍ତ୍ତୃହରି ମହତାବ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ଏସବୁ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ଓ ଶୀଘ୍ର ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ବୋଲି ଆଶା ପ୍ରକାଶ ପାଇଛି।
କଟକର କ୍ରୀଡ଼ା, ଐତିହ୍ୟ ଓ ପର୍ଯ୍ୟଟନ—ଏହି ତିନି କ୍ଷେତ୍ରର ସମନ୍ୱିତ ବିକାଶ ଦିଗରେ ଦିଲ୍ଲୀରେ ହୋଇଥିବା ଏହି ଆଲୋଚନାକୁ ସହରର ଭବିଷ୍ୟତ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।