୩୦ କାରିଗରଙ୍କ ୩ ମାସର ପରିଶ୍ରମ: ରାଷ୍ଟ୍ରପତିଙ୍କ ‘ଆଟ୍ ହୋମ୍’ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ କିଟ୍
1 min read

୩୦ କାରିଗରଙ୍କ ୩ ମାସର ପରିଶ୍ରମ: ରାଷ୍ଟ୍ରପତିଙ୍କ ‘ଆଟ୍ ହୋମ୍’ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ କିଟ୍

ନୂଆଦିଲ୍ଲୀ, ୧୦/୦୮: ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ପାରମ୍ପରିକ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ପାଇଁ ଏଥର ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ନିମନ୍ତ୍ରଣ କିଟ୍। ଦେଶର ବିଭିନ୍ନ ଅଞ୍ଚଳର କଳା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଏଥିରେ ସ୍ଥାନ ଦିଆଯାଇଛି।

ଏହି କିଟ୍ ପ୍ରସ୍ତୁତିରେ ୧୩୦ ଜଣ କାରିଗର ପ୍ରାୟ ୩ ମାସ ଧରି କାମ କରିଛନ୍ତି। ରାଷ୍ଟ୍ରପତି ଭବନର ଅଧିକାରୀ ଏବଂ ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍‌ର ଟିମ୍ ମିଳିତ ଭାବେ ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି।

କିଟ୍‌ରେ ଛତିଶଗଡ଼, ଗୋଆ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ପାରମ୍ପରିକ କଳାକୁ ପ୍ରମୁଖତା ଦିଆଯାଇଛି। ଛତିଶଗଡ଼ର ବସ୍ତର ଅଞ୍ଚଳର ପ୍ରାୟ ୫୦ ଜଣ କାରିଗର ମଧ୍ୟ ଏହି କିଟ୍ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି।

ଛତିଶଗଡ଼ର ପାରମ୍ପରିକ ଢୋକରା କାଷ୍ଟିଂ ଏବଂ ପିଟୱା ଶିଳ୍ପକୁ କିଟ୍‌ରେ ସ୍ଥାନ ମିଳିଛି। ଗୋଆର ‘ଖାଜାନ’ ଭୂମିକୁ ଆଜୁଲେଜୋ ଟାଇଲ୍ ଚିତ୍ରକଳା ମାଧ୍ୟମରେ ଦର୍ଶାଯାଇଛି। ମହାରାଷ୍ଟ୍ରର ୱର୍ଲି ଚିତ୍ରକଳା ଏବଂ ମଧ୍ୟପ୍ରଦେଶର ଭୀଲ୍ ଚିତ୍ରକଳା ମଧ୍ୟ ଏହି ବିଶେଷ କିଟ୍‌ର ଅଂଶ ହୋଇଛି।

ଅତିଥିମାନଙ୍କୁ ସ୍ୱାଗତ ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମାହେଶ୍ୱରୀ ଷ୍ଟୋଲ୍ ମଧ୍ୟ ପ୍ରଦାନ କରାଯିବ। ଏଥିରେ ଚାରି ରାଜ୍ୟର ପୋଷାକ ପରମ୍ପରାକୁ ଭିନ୍ନ ଡିଜାଇନ୍ ଜରିଆରେ ପ୍ରତିଫଳିତ କରାଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ସନ୍ଧ୍ୟା ୬ଟାରୁ ରାଷ୍ଟ୍ରପତି ଭବନରେ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ଆୟୋଜିତ ହେବ।

Leave a Reply

Your email address will not be published. Required fields are marked *