ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି।
1 min read

ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି।

ଅସ୍ତରଙ୍ଗ, ୩୧/୦୭: ଗୋଟିଏ ପଟେ ଦେବୀ ନଦୀ ରେ ବନ୍ୟା ପାଣି ବଢୁଛି, ତଳିଆ ଗାଁ ର ଲୋକ ମଇଁଷି ପାଣି ଘେର ରେ ଫସୁଛନ୍ତି। ଆଉ ଗୋଟିଏ ପଟେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି। ଏହା କି ପ୍ରଶାସନିକ ତତ୍ପରତା ?

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ନିକଟରେ ଥିବା “ସ୍ପେସିଆଲ ରିଲିଫ ଓଡିଶା ଏଫଆରପି ୫୦” ଲେଖା ହୋଇଥିବା ଲାଲ ରଙ୍ଗର ବୋଟ ଟି ବର୍ତମାନ ବ୍ଲକ ପରିସରର ଗୋଟିଏ କୋଣରେ ଆବର୍ଜନା ଭଳି ପଡିରହିଛି। ବୋଟ ର ଚାରିପାଖେ ଗଛ ଲତା ମାଡି ଯାଇଛି। ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ପଡିରହିବାରୁ ଏହାର ରଙ୍ଗ ଉଠିଯାଇ ନଷ୍ଟ ହୋଇଗଲାଣି। ବୋଟ ର ଇଞ୍ଜିନ ଅଛି କି ନାହିଁ ତାହା ମଧ୍ୟ କେହି ଜାଣିନାହାନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବନ୍ୟା ଓ ବାତ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ବୋଟ ଟି ଦିଆଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ଥରେ ମଧ୍ୟ ପାଣିରେ ବ୍ୟବହାର କରାଯାଇନାହିଁ। ଦରକାର ସମୟରେ ଏହା କାମ ଦେବ ତ ଦୂରର କଥା, ଏବେ ପ୍ରଶାସନ ର ଅବହେଳା ଯୋଗୁଁ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଗତକାଲି ରାତିରୁ ଦେବୀ ନଦୀ ରେ ପାଣି ବଢିବାରୁ ତାଳଦା ଅଞ୍ଚଳର ମଇଁଷି ପାଣି ଘେର ରେ ଫସିଯାଇଥିଲେ। ସେତେବେଳେ ଅଗ୍ନିଶମ ବିଭାଗ ମତ୍ସ୍ୟଜୀବି ମାନଙ୍କ ନୌକା ଆଣି ଉଦ୍ଧାର କରିଥିଲା। କିନ୍ତୁ ବ୍ଲକ ପାଖରେ ହାତ ପାଖରେ ଥିବା ଏହି ସରକାରୀ ବୋଟ ଟି ବିଷୟରେ ବ୍ଲକ ପ୍ରଶାସନ ଥରେ ମଧ୍ୟ ଚିନ୍ତା କଲାନି। ଏତେ ବଡ ଅବହେଳା!

ଏନେଇ ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି, ଜନତାଙ୍କ ଟଙ୍କାରେ ଆସିଥିବା ଏହି ଉଦ୍ଧାର ବୋଟ ଯଦି ବ୍ଲକ ପରିସରରେ ଏମିତି ପଡି ନଷ୍ଟ ହେବ , ତେବେ ବନ୍ୟା ସମୟରେ ଲୋକଙ୍କୁ କିଏ ବଞ୍ଚାଇବ? କେବଳ କାଗଜ ପତ୍ରରେ ବନ୍ୟା ପ୍ରସ୍ତୁତି ଦେଖାଇଲେ ହେବ କି ?

ପ୍ରଶାସନ ର ଏହି ଘୋର ଅବହେଳା ପାଇଁ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହି ବୋଟ ର ମରାମତି କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବା ସହ ତଳିଆ ଅଞ୍ଚଳରେ ମୁତୟନ କରିବାକୁ ଲୋକେ ଦାବି କରିଛନ୍ତି।  ନଚେତ ଆଗାମୀ ଦିନରେ ଆଉ ଗୋଟିଏ ବଡ ବିପତି ଆସିଲେ ଏହାର ଦାୟିତ୍ୱ ବ୍ଲକ ପ୍ରଶାସନ ନେବ କି?

Leave a Reply

Your email address will not be published. Required fields are marked *