ବନ୍ୟା ରେ ଯାଜପୁର ଜିଲା ର ୯ ବ୍ଳକ ର ୫୦ ରୁ ଉର୍ଦ୍ଧ ପଞ୍ଚାୟତ ପ୍ରଭାବିତ

0
Gemini_Generated_Image_6jszvr6jszvr6jsz

ଯାଜପୁର, ୩୧୲୦୭(ପିପିଏସ): ଯାଜପୁରରେ ବନ୍ୟାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଦଶରଥପୁର ଓ ବରୀ ପରେ ଏବେ ବିଞ୍ଝାରପୁର ବ୍ଲକକୁ ମଧ୍ୟ ଗ୍ରାସ କରିଛି ବନ୍ୟା। ସେଠାରେ ମଧ୍ୟ ନୂଆମାହାରା ନିକଟରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି।ବଡ଼କଥା ହେଲା ଦୁଇଦିନ ତଳେ ଦଶରଥପୁରରେ କାଣୀ ନଦୀରେ ହୋଇଥିବା ଘାଇ ଯୋଗୁଁ ଶହ ଶହ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ସୁକିନ୍ଦା ବ୍ୟତୀତ ମୋଟାମୋଟି ୯ଟି ବ୍ଲକର ୫୦ରୁ ଉର୍ଧ୍ଵ ପଞ୍ଚାୟତ ପ୍ରଭାବିତ ହୋଇସାରିଛି। ବୈତରଣୀର ଦ୍ୱିତୀୟ ବନ୍ୟା ଯାଜପୁର ଜିଲ୍ଲାରେ ବିଭୀଷିକା ସୃଷ୍ଟି କରିଛି। ଦଶରଥପୁର ଓ ବରୀ ପରେ ଏବେ ବିଞ୍ଝାରପୁର ବ୍ଲକରେ ବନ୍ୟାର ପ୍ରକୋପ ବଢ଼ିଛି। ଖରାସ୍ରୋତା ନଦୀର ନୂଆମହାରା ନିକଟରେ ପ୍ରାୟ ଏକ ବଡ ଘାଇ ସୃଷ୍ଟି ହେବା ପରେ ବନ୍ୟାଜଳ ଗାଁ ମୁହାଁ ହୋଇଛି। ଜରି, ବାଙ୍ଗରା, ହଳଦିଡ଼ିହ, ଆଉଁରୀ ସମେତ ୫ରୁ ୭ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି।ଅନେକ ଗାଁରେ ପାଣି ପଶି ସାରିଥିବାବେଳେ ଘରବାଡ଼ି, ଚାଷଜମି ଓ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି।

ସେପଟେ ଦଶରଥପୁର ବ୍ଲକର ଡୋବାବିଲ ପାଟଣାରେ ବୈତରଣୀର ଶାଖା କାଣୀ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଗାଁ ଦାଣ୍ଡରେ ପ୍ରାୟ ୪ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଜଳସ୍ତର କିଛି ହ୍ରାସ ପାଇଥିଲେ ମଧ୍ୟ ପରିସ୍ଥିତି ଏବେବି ସ୍ୱାଭାବିକ ହୋଇନାହିଁ। ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତର ୫୬ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୮୬ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ତରପଦା ପଞ୍ଚାୟତର ୧ନଂ, ୨ନଂ, ୭ନଂ ୱାର୍ଡର ସ୍ଥିତି ଗମ୍ଭୀର। ବିଶେଷାକରି ୧ନଂ ୱାର୍ଡର ପ୍ରାୟ ୨୦ରୁ ଅଧିକ ପରିବାର ତିନି ଦିନ ଧରି ପାଣି ଘେରରେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଖାଦ୍ୟପାନୀୟ ଓ ଔଷଧ ଆଦି ପହଞ୍ଚାଯାଉଛି।

ସେପଟେ ବରୀରେ ମଧ୍ୟ ବ୍ରାହ୍ମଣୀ ନଦୀରେ ତିନି ତିନୋଟି ଘାଇ ସୃଷ୍ଟି ହୋଇ ପରିସ୍ଥିତି ଉଦବେଗଜନକ ହୋଇଛି। ଏହି ବ୍ଲକର ୨୩ଟି ପଞ୍ଚାୟତର ୪୮ଟି ଗାଁର ୧୦ହଜାରରୁ ଉର୍ଧ୍ଵ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ଅନ୍ୟପଟେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀ ରେସକ୍ୟୁ ବୋଟ ମାଧ୍ୟମରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସହଯୋଗରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ମଧ୍ୟ ପହଞ୍ଚାଯାଉଛି। ତେବେ ଏବେବି ଅନେକ ପରିବାର ଉଦ୍ଧାର ଅପେକ୍ଷାରେ ରହିଛନ୍ତି। କିଏ ଛାତ ଉପରେ ଜରିପାଲ ତଳେ ଦିନ କାଟୁଛନ୍ତି, ତ ଆଉ କିଏ ବେକେ ପାଣିରେ ଯାତାୟାତ କରୁଛନ୍ତି। ସାପ ଓ ଅନ୍ୟ ବିଷଧର ଜନ୍ତୁଙ୍କ ଭୟ ମଧ୍ୟ ଲାଗି ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

ତେବେ ଏକାଧିକ ନଦୀରେ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇ ଓ ଲଗାତାର ବନ୍ୟାଜଳ ପ୍ରବାହ ଯୋଗୁଁ ଆଗାମୀ ସମୟରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *