ଫୁଲୁଛି ମହାନଦୀ ଲଗାତର ଦୁଇଦିନ ଧରି ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ।
ଭାପୁର, ୩୧୲୦୭ (ପିପିଏସ): ଲଘୁଚାପ ଜନିତ ବର୍ଷା ଦ୍ଵାରା ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି. ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି।
ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, ଝଗଡ଼ପଡ଼ା, ଧାନଚେଙ୍ଗଡ଼ା ପଞ୍ଚାୟତର ଧାନଚେଙ୍ଗଡ଼ା, ଲଷ୍ମୀପ୍ରସାଦ, ଭଗବାନପୁର ପଞ୍ଚାୟତର ଭଗବାନପୁର, ଲୁଣିଆଉଟି, ବାଇଗୁଣିଆ ପଞ୍ଚାୟତର କେଶରସିଂ, ବୋରଗାଁ, ଗୋଳାପୋଖରୀ ପଞ୍ଚାୟତର ନୀଳକଣ୍ଠପ୍ରସାଦ, ତରବାଲୋ, ପାଥପୁର, କରଡ଼ାପଲ୍ଲୀ, ଫତେଗଡ଼ ପଞ୍ଚାୟତର ଫତେଗଡ଼ ଓ ମଣିପୁର ଗ୍ରାମର ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ଲହରୀ ମାରୁଛି। ମହାନଦୀରେ ବନ୍ୟା ଆସିଲେ ମଣିପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଉପରେ ୫/୬ ଫୁଟର ପାଣି ପ୍ରବାହିତ ହୋଇ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ।
ଗ୍ରାମବାସୀଙ୍କ ଦୁଃଖ ଦୁର୍ଦଶାକୁ ହୃଦୟଙ୍ଗମ କରି ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରଥମ ପ୍ରଯାୟରେ ମଣିପୁରରୁ ଯଶୋବନ୍ତପୁରକୁ ସଂଯୋଗ କରୁଥିବା ରାସ୍ତା ଉଚ୍ଚା କରିବା ସହ ଉନ୍ନତି କରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଅର୍ଥ ମଞ୍ଜୁର କରିଥିଲେ। ଉକ୍ତ ରାସ୍ତାର କାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆରମ୍ଭ କରିଛି. କିନ୍ତୁ ଉକ୍ତ ରାସ୍ତାଟି ନିର୍ମାଣ ଚାଲିଥିବାରୁ ଯାତାୟାତ ଉପଯୋଗୀ ହୋଇପାରିନାହିଁ।
୪୮ ନମ୍ବର ରାଜ୍ୟ ରାଜପଥ କାଳିଗିରି ବ୍ରିଜ ଠାରୁ ମଣିପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଉପରେ ୬ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉ ଥିବାରୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ନିମନ୍ତେ ଡଙ୍ଗାର ବ୍ୟବସ୍ଥା କରାଯିବାକୁ ଦାବି ହେଉଛି.ସେହିପରି ବିଧାୟକ ଶ୍ରୀ ସ୍ୱାଇଁ ଆଜି ପୁଣିଥରେ(ଶୁକ୍ରବାର)ବନ୍ୟା ଘେରରେ ଥିବା ମଣିପୁର ଗ୍ରାମକୁ ଯାଇ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଦୁଇଦିନ ଧରି ମଣିପୁର ଗ୍ରାମର ପ୍ରାୟ ୩୦୦୦ ରୁ ଉର୍ଦ୍ଧ ଜନସାଧାରଣ ଓ ଗୃହପାଳିତ ପଶୁମାନେ ଜଳ ଘେରିରେ ରହିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଡ଼ଙ୍ଗାଟିଏ ଯୋଗାଇ ଦିଆଯାଇଛି।ଏହି ଅବସରରେ ଭାପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ ପ୍ରମୁଖ ମଣିପୁର ଗ୍ରାମକୁ ଯାଇଥିଲେ।
